ନୂଆଦିଲ୍ଲୀ: ଚଳନ୍ତା ଟ୍ରେନକୁ ପଥର ଫିଙ୍ଗି ଟ୍ରେନ୍ର କ୍ଷତି କରିବା ସହିତ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉଛନ୍ତି କିଛି ଅମାନିଆ। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏନେଇ ୮୧ଟି ମାମଲା ରୁଜୁ ହୋଇଛି। ବିଶେଷ କରି ବନ୍ଦେ ଭାରତ ଟ୍ରେନ୍କୁ ଟାର୍ଗେଟ୍ କରାଯାଉଛି। ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗିବା ନେଇ ୨୨ଟି ମାମଲା ରୁଜୁ ହୋଇଛି ଏବଂ ୨୨ ଜଣ ଗିରଫ ହୋଇଛନ୍ତି।
ସେହିପରି ଅନ୍ୟ ଟ୍ରେନ୍ଗୁଡ଼ିକରେ ଏନେଇ ୫୯ଟି ମାମଲା ରୁଜୁ ହୋଇଥିବା ବେଳେ ୪୫ ଜଣଙ୍କୁ ଗିରଫ କରାଯାଇଛି। ଟ୍ରେନ୍କୁ ପଥର ଫିଙ୍ଗିବା ଘଟଣାରେ ରେଳ ସୁରକ୍ଷା ବଳ(ଆରପିଏଫ୍) ସକ୍ରିୟ ରହିଛି। ତ୍ୱରିତ୍ ମାମଲା ପଞ୍ଜୀକରଣ ଏବଂ ଅଭିଯୁକ୍ତକୁ ଚିହ୍ନଟ କରୁଛି। ଅନ୍ୟପକ୍ଷରେ ଟ୍ରେନ୍ ଉପରେ ପଥର ଫିଙ୍ଗିବା ଭଳି ବିପଜ୍ଜନକ ଏବଂ ବେଆଇନ ଅଭ୍ୟାସକୁ ରୋକିବାରେ ସାହାଯ୍ୟ କରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛି ପୂର୍ବତଟ ରେଲୱେ।
ରେଲୱେ ଆଇନ ଧାରା ୧୫୨ ଅନୁଯାୟୀ, ଟ୍ରେନ୍କୁ ପଥର ଫିଙ୍ଗିବା ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ୧୦ ବର୍ଷ ପର୍ଯ୍ୟନ୍ତ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ। ସମସ୍ତ ଚିହି୍ନତ ମାମଲାରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତକୁ ରେଳ ସମ୍ପତ୍ତିର କ୍ଷତି ପାଇଁ ଦାୟୀ ମଧ୍ୟ କରାଯିବ। ଏପରି ବିପଦର ମୁକାବିଲା ପାଇଁ ଘନ ଜନବସତି ବିଶିଷ୍ଟ ଟ୍ରାକ୍ ସାଇଡ୍ ଅଞ୍ଚଳରେ ପାଟ୍ରୋଲିଂକୁ ଆହୁରି ତୀବ୍ର କରାଯାଇଛି। ଏଥିସହ ସିସିଟିଭି ଓ ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି।
Comments are closed.