ରାୟପୁର: ମଧ୍ୟପ୍ରଦେଶ-ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି (ଏମ୍ଏମ୍ସି) ନକ୍ସଲ ସଙ୍ଗଠନର ଶତାଧିକ ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏମ୍ଏମ୍ସି ମୁଖପାତ୍ର ତଥା ମାଓନେତା ଅନନ୍ତଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ସେଥିରେ ସେ ଲେଖିଛନ୍ତି ସଙ୍ଗଠନର ଶତାଧିକ ସଦସ୍ୟ ଆସନ୍ତା ଜାନୁଆରୀ ୧ରେ ଆତ୍ମସମର୍ପଣ କରିବେ। ତେଣୁ ବର୍ତ୍ତମାନ ଜାରି ରହିଥିବା ନକ୍ସଲ ଦମନ ଅଭିଯାନକୁ ସେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସେ ଛତିଶଗଡ଼ ସରକାରଙ୍କ ନିକଟରେ ଅପିଲ କରିଛନ୍ତି।
ମାଓନେତା ଅନନ୍ତଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ଚିଠି ଏକ ସପ୍ତାହ ଭିତରେ ଦ୍ୱିତୀୟ ଥର। ଏହା ପୂର୍ବରୁ ଗତ ସପ୍ତାହରେ ସେ ଜାରି କରିଥିବା ଚିଠିରେ ଫେବ୍ରୁଆରୀ ୧୫ ସୁଦ୍ଧା ଆତ୍ମସମର୍ପଣ କରିବା କଥା ଉଲ୍ଲେଖ କରିଥିଲେ। କିନ୍ତୁ ବର୍ତ୍ତମାନ ଜାରି କରିଥିବା ନୂଆ ଚିଠିରେ ଜାନୁଆରୀ ୧ ତାରିଖରେ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଯେଭଳି ଛତିଶଗଡରେ ସତୀଶ ଓ ମହାରାଷ୍ଟ୍ରରେ ସୋନୁ ଆତ୍ମସମର୍ପଣ କରିଛନ୍ତି ଠିକ୍ ସେହିଭଳି ସେମାନେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡର ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କ ନିକଟରେ ଆତ୍ମସମର୍ପଣ କରିବା କଥା ଲେଖିଛନ୍ତି।
କେବଳ ଏତିକି ନୁହେଁ ସେ ନିଜ ସାଥୀମାନଙ୍କ ସହିତ କଥାବାର୍ତ୍ତା କରିବା ଲାଗି ଏକ ବାଉଫେଙ୍ଗ୍ର ଖୋଲା ଫ୍ରିକ୍ୱେନ୍ସି ନମ୍ବର ୪୩୫.୭୧୫ ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୧୧ଟା ୧୫ ମଧ୍ୟରେ ସେ ସାଥୀମାନଙ୍କ ସହ କଥାବାର୍ତ୍ତା କରିବେ। ପ୍ରଥମଥର ଲାଗି ନକ୍ସଲମାନେ ଏକ ଖୋଲା ଫ୍ରିକ୍ସେନ୍ସି ଜାରି କରିଛନ୍ତି। ବାଉଫେଙ୍ଗ ହେଉଛି ହାତରେ ଧରିପାରିବା ଭଳି ଏକ ୱାକିଟକି ବା ଛୋଟ ରେଡିଓ। ଯାହାରି ମାଧ୍ୟମରେ ଜଙ୍ଗଲ, ପାହାଡ କିମ୍ବା ସହରର ଭିଡ ଭିତରେ ବିନା ମୋବାଇଲ ନେଟୱାର୍କରେ ଦୁଇ ବ୍ୟକ୍ତି କଥାବାର୍ତ୍ତା କରିପାରିବେ।
Comments are closed.