Latest Odisha News

BREAKING NEWS

Cyclone Ditwah: ତାମିଲନାଡ଼ୁରେ ‘ଦିତୱା’ର ପ୍ରଭାବ: ଜାରି ରହିଛି ଭୀଷଣ ବର୍ଷା, ୧୦ ଜିଲ୍ଲାରେ ରେଡ୍‌ଆଲର୍ଟ

ଚେନ୍ନାଇ: ଶ୍ରୀଲଙ୍କାରେ ତାଣ୍ଡବ ରଚିଥିବା ସାମୁଦ୍ରିକ ବାତ୍ୟା ‘ଦିତୱା’ ଏବେ ଦକ୍ଷିଣ ଭାରତର ତାମିଲନାଡୁ ଓ ପୁଡୁଚେରି ଉପକୂଳ ଆଡକୁ ଅଗ୍ରସର ହେବାରେ ଲାଗିଛି। ତେଣୁ ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରି ସମେତ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦିତୱା’ ଆଜି ସନ୍ଧ୍ୟାରେ ତାମିଲନାଡୁ ଓ ପୁଡୁଚେରୀ ତଟରେ ପହଞ୍ଚିବା ସହ ସମଗ୍ର ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଛି। ଘଣ୍ଟାକୁ ୬୦-୭୦ କିଲୋମିଟର ବେଗର ପବନ ସହ ଲଗାଣ ବର୍ଷା ଜଟିଳ ସ୍ଥିତି ସୃଷ୍ଟି କରିଛି। ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ରେଳ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତାକାଲି ମଧ୍ୟ ଚେନ୍ନାଇ, କୁଡ଼ଲୁର୍, ଭିଲୁପୁରମ୍, ନାଗାପଟ୍ଟିନମ୍, ଥଞ୍ଜାଭୂର, ତିରୁଭାରୁର୍, ମୟିଲାଦୁଥୁରାଇ, ରାମନାଥପୁରମ୍, ପୁଦୁକ୍କୋଟ୍ଟାଇ ଓ ତୁତିକୁଡ଼ିରେ ଅତି ପ୍ରବଳ ବର୍ଷା ଲାଗି ରହିଛି। ଏହି ୧୦ଟି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି ଏବଂ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୨୫ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏସବୁ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି।

ଉପକୂଳ ଛୁଇଁବା ପୂର୍ବରୁ ରବିବାର ସନ୍ଧ୍ୟାରେ ‘ଦିତୱା’ ଅବପାତରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପୂର୍ବରୁ ବାତ୍ୟାଟି କିଛି ସମୟ ପାଇଁ ଦୁର୍ବଳ ହୋଇପଡିଥିଲା। ତେବେ ବାତ୍ୟାକୁ ମୁକାବିଲା କରିବା ଲାଗି ତାମିଲନାଡୁ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସବୁ ଜିଲାରେ ଏସ୍‌ଡିଆରଏଫ୍ ଓ ଏନଡିଆରଏଫ୍ ବାହିନୀ ମୁତୟନ କରାଯାଇଛି।

ବାତ୍ୟା ପ୍ରଭାବରେ ତାମିଲନାଡୁରେ ରବିବାର ୩ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସରକାର କହିଛନ୍ତି। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଥୁଟୁକୋଡି ଓ ଥାଞ୍ଜାଭୁର ଜିଲାରେ କାନ୍ଥ ପଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମେଇଲାଦୁଥୁରାଇରେ ବିଦ୍ୟୁତ୍‌ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେ ରାମଚନ୍ଦ୍ରନ ରବିବାର ସାମ୍ବାଦିକଙ୍କୁ ଦେଇଥିବା ସୂଚନା ଅନୁଯାୟୀ ଉପକୂଳ ସହର ରାମେଶ୍ବରମ୍ ଓ ନାଗାପଟ୍ଟିନମ୍ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହୋଇଛି।

ଏହି ଦୁଇ ସହରରେ ଅନେକ ଭିତ୍ତିଭୂମି ନଷ୍ଟ ହେବା ସହ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ବତ୍ୟା ଯୋଗୁଁ ପ୍ରାୟ ୫୭ହଜାର ହେକ୍ଟର ଜମିରେ ଚାଷ କାର୍ଯ୍ୟ ନଷ୍ଟ ହୋଇଛି। ଏହା ସହିତ ୧୪୯ ଗୋରୁଗାଈ ପ୍ରାଣ ହରାଇଛନ୍ତି। ୨୩୪ଟି ଘର ନଷ୍ଟ ହୋଇଛି। ଘର ହରାଇଥିବା ଲୋକଙ୍କ ପାଇଁ ରିଲିଫ୍ ଶିବିର ସ୍ଥାପନ କରାଯାଇଛି। ରେଡ୍‌ ଆଲର୍ଟ ଜାରି କରାଯାଇଥିବା ଜିଲାଗୁଡିକର ଲୋକଙ୍କୁ ସତର୍କତା ଅବଲମ୍ବନ ସହିତ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସତର୍କ ସୂଚନାକୁ ଅନୁସରଣ କରିବାକୁ କୁହାଯାଇଛି।

Leave A Reply

Your email address will not be published.