ଭଦ୍ରକ:ଭଦ୍ରକରେ ବିଜେଡିକୁ ଝଟକା । ସୋମବାର ବିଜେଡ଼ିର ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ଇସ୍ତଫା ଦେଇଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ନିଜ ଇସ୍ତଫା ପତ୍ର ଜିଲ୍ଲା ବିଜୁ ଜନତା ଦଳ ସଭାପତିଙ୍କୁ ପଠାଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ପୂର୍ବରୁ ଭଦ୍ରକ ଜିଲ୍ଲାର ୩ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେଇଥିଲେ। ଗତ ଶନିବାର ବ୍ୟକ୍ତିଗତ କାରଣ ଦର୍ଶାଇ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ଏବଂ ଭଣ୍ଡାରୀପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତି ସେଠୀ ଇସ୍ତଫା ଦେଇଥିଲେ। ସେହିଭଳି ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ମଧ୍ୟ ଇସ୍ତଫା ଦେଇଥିଲେ।
ଚାରି ବ୍ଲକ ଅଧ୍ୟକ୍ଷ ବିଜେଡି ଛାଡିବାପରେ ଭଦ୍ରକ ନେତା ମାନଙ୍କୁ ଡାକି ନବୀନ ନିବାସରେ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ । ଏହି ବୈଠକରେ ବିଧାୟକ ସଞ୍ଜୀବ ମଲ୍ଳିକ , ବରିଷ୍ଠ ନେତା ପ୍ରଫୁଲ ସାମଲ , ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସହ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି ।