ବ୍ରହ୍ମପୁର:ସମସ୍ତଙ୍କ ମୁହଁରେ ଶତାୟୁ ଡାକ୍ତର କେ.ଲକ୍ଷ୍ମୀବାଇଙ୍କ ପ୍ରଶଂସା । ବ୍ରହ୍ମପୁରର ଶତାୟୁ ଡାକ୍ତର କେ.ଲକ୍ଷ୍ମୀବାଇ । ଭୁବନେଶ୍ବର ଏମସକୁ ଦାନ କଲେ ୩ କୋଟି ୪୦ ଲକ୍ଷ ଟଙ୍କା । ନିଜର ଶହେ ତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ ବ୍ରହ୍ମପୁରର ଡାକ୍ତର ଲକ୍ଷ୍ମୀ ବାଈଙ୍କ ନିଆରା ନିଷ୍ପତ୍ତି । ଡିସେମ୍ବର ୫ରେ ପାଳନ କରିବେ ୧୦୦ତମ ଜନ୍ମଦିନ । ୧୦୦ତମ ଜନ୍ମଦିନ ରେ AIMSକୁ ୩କୋଟି ଦାନ କଲେ ଶତାୟୁ ଡାକ୍ତର । ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବା ପାଇଁ ସେ ଏହି ଅର୍ଥ ଦାନ କରିଛନ୍ତି ।
ଟଙ୍କା ଦାନ ପାଇଁ ହସ୍ପିଟାଲ୍ ସହ ଆଲୋଚନା ସରିବା ପରେ କାଗଜପତ୍ର କାମ ମଧ୍ୟ ଶେଷ ହୋଇସାରିଛି । ତାଙ୍କର ଏହି ଘୋଷଣା ପରେ ସାରା ରାଜ୍ୟରୁ ଛୁଟୁଛି ପ୍ରଶଂସାର ସୁଅ ।
୧୯୪୫ ମସିହାରେ କଟକ ଏସସିବି ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ଛାତ୍ରୀ ଥିଲେ । ୧୯୫୦ରେ ଏମବିବିଏସ୍ ପାଠ୍ୟକ୍ରମ ସାରିବା ପରେ ୧୯୫୮ରେ ତତ୍କାଳୀନ ମାଡ୍ରାସ ମେଡିକାଲ କଲେଜରୁ ଡିଜିଓ ଆଣ୍ଡ ଏମଡି ଡିଗ୍ରୀ ହାସଲ କରିଥିଲେ । ପରେ ଆମେରିକାର ବାଲ୍ଟିମୋରର ଜନ୍ସ ହପକିନ୍ସ ହସ୍ପିଟାଲରେ ଏମ୍ପିଏଚ୍ କରିଥିଲେ । ୧୯୫୦ରୁ ସୁନ୍ଦରଗଡ଼ ଜିଲ୍ଲା ହସପିଟାଲରୁ ଡାକ୍ତର ଚାକିରି ଜୀବନ ଆରମ୍ଭ କରି ୧୯୮୬ ମସିହାରେ ବ୍ରହ୍ମପୁର ଏମକେସିଜି ମେଡିକାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ପ୍ରଫେସର ଭାବେ ଅବସର ଗ୍ରହଣ କରିଥିଲେ ।
ଡାକ୍ତର ଲକ୍ଷ୍ମୀ ବାଈଙ୍କର କୌଣସି ସନ୍ତାନ ନାହାଁନ୍ତି । ତାଙ୍କ ପୁତୁରାଙ୍କୁ ପୁଅ କରିଥିଲେ ଡାକ୍ତର ଲକ୍ଷ୍ମୀ ବାଈ । ସେ ଏବେ ଆମେରିକାରେ ରହୁଛନ୍ତି । ସ୍ୱାମୀଙ୍କ ବିୟୋଗ ପରେ ଲକ୍ଷ୍ମୀ ବାଈ ଏକାକୀ ବ୍ରହ୍ମପୁର ସହରର ଭାବାନଗର ସ୍ଥିତ ଘରେ ରହୁଥିଲେ । ତାଙ୍କର ଏହି ନିଷ୍ପତ୍ତି ଜାଣିବା ପରେ ପୁତୁରା ଆମେରିକାରୁ ଆସୁଛନ୍ତି । ତାଙ୍କ ଉପସ୍ଥିତିରେ ସେ ଏହି ଟଙ୍କା AIMSକୁ ପ୍ରଦାନ କରିବେ ।
ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସ୍ଥାନରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡା ଲକ୍ଷ୍ମୀ ବାଇ ଭାରତଜ୍ୟୋତି ଆଓ୍ବାର୍ଡ, ଇଣ୍ଟରନ୍ୟାସ୍ନାଲ ଫ୍ରେଣ୍ଡସିପ୍ ସୋସାଇଟି ଆଓ୍ବାର୍ଡ ଏବଂ ବେଷ୍ଟ୍ ସିଟିଜେନ ଅଫ ଇଣ୍ଡିଆ ଆୱାର୍ଡ ପାଇଛନ୍ତି।