ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ା-ବିଜାପୁର ସୀମାରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବୁଧବାର ବଡ଼ଧରଣର ଏନ୍କାଉଣ୍ଟର ହୋଇଛି। ଏଥିରେ ୧୨ ମାଓବାଦୀ ନିପାତ ହୋଇଛନ୍ତି। ଅନ୍ୟପଟେ ଏହି ଏନ୍କାଉଣ୍ଟରରେ ଡିଆର୍ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ)ର ୩ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ହେଡ୍ କନଷ୍ଟେବଳ ମୋନୁ ଭଦାଡ଼ି, ରମେଶ ସୋଧି ଏବଂ କନଷ୍ଟେବଳ ଦୁକାରୁ ଗୋଣ୍ଡେ। ଆଉ ୨ ଜଣ ଆହତ ହୋଇଛନ୍ତି। ବସ୍ତର ରେଞ୍ଜ୍ ପୋଲିସ ଆଇଜି ସୁନ୍ଦରରାଜ ପି. ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।
ଗଙ୍ଗାଲୁର ଥାନା ଅଞ୍ଚଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି। ପୋଲିସ ଆଇଜିଙ୍କ ସୂଚନା ଅନୁସାରେ, ଡିଆର୍ଜି, ଏସ୍ଟିଏଫ୍, କୋବ୍ରା ଏବଂ ସିଆର୍ପିଏଫ୍ର ମିଳିତ ଟିମ୍ ବୁଧବାର ସକାଳ ପ୍ରାୟ ୯ଟାରେ ବିଜାପୁର-ଦନ୍ତେୱାଡ଼ା ସୀମାର ପଶ୍ଚିମ ବସ୍ତର ଡିଭିଜନ୍ ଗଙ୍ଗାଲୁର ଥାନା ଅନ୍ତର୍ଗତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଲାଇଥିଲେ। ସେହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ଅଚାନକ ଗୁଳି ଚଲାଇବା ଆରମ୍ଭ କରିଦେଇଥିଲେ। ଫଳରେ ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲେ।
ସମସ୍ତ ୧୨ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଛି । ସେମାନଙ୍କ ନିକଟରୁ ଏସ୍ଏଲ୍ଆର୍ ରାଇଫଲ, ଡଟ୍୩୦୩ ରାଇଫଲ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ମିଳିଛି। ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନକୁ ପଠାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ସେ କହିଛନ୍ତି । ରାଜ୍ୟରେ ମାଓବାଦୀ ଶେଷ ନିଃଶ୍ୱାସ ନେଉଛି ବୋଲି ଗୃହମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି।