Latest Odisha News

BREAKING NEWS

Indigo Filghts Cancelled: ତୃତୀୟ ଦିନରେ ବି ସୁଧୁରିନି ସ୍ଥିତି: ଇଣ୍ଡିଗୋର ୧୫୦ ବିମାନ ଉଡ଼ାଣ ବାତିଲ

ହାଇଦ୍ରାବାଦ: ଭାରତର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଲଗାତାର ତୃତୀୟ ଦିନ ପାଇଁ କର୍ମଚାରୀ ଅଭାବ ସହିତ ସଂଘର୍ଷ କରୁଛି। ଏହା ଦେଶବ୍ୟାପୀ ବିମାନ ସେବାର କାର୍ଯ୍ୟକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଗୁରୁବାର ଦିନ, ଦିଲ୍ଲୀରେ ୩୦ରୁ ଅଧିକ ଇଣ୍ଡିଗୋ ବିମାନ, ମୁମ୍ବାଇରେ ୮୫ ଏବଂ ହାଇଦ୍ରାବାଦରେ ୩୩ଟି ବିମାନ ବାତିଲ କରାଯାଇଛି। ତିନି ଦିନରେ ୬୦୦ରୁ ଅଧିକ ବିମାନ ପ୍ରଭାବିତ ହୋଇଛି। ସେହିପରି ବୈଷୟିକ ତ୍ରୁଟି ଏବଂ ପର୍ଯ୍ୟାପ୍ତ କର୍ମଚାରୀ ଅଭାବରୁ ବୁଧବାର ଇଣ୍ଡିଗୋ ଏୟାରଲାଇନ୍ ବେଙ୍ଗାଲୁରୁ, ମୁମ୍ବଇ ସମେତ ଅନ୍ୟ ସହରରେ ୧୫୦ରୁ ଅଧିକ ବିମାନ ଉଡାଣ ବାତିଲ କରିଥିଲା।

ବୈଷୟିକ ତ୍ରୁଟି ଯୋଗୁଁ ଏହି ବିଳମ୍ବ ହୋଇଥିବା ସୂଚନା ଦେଇ ଇଣ୍ଡିଗୋ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଛି। ଅନେକ ସମୟରେ ଉଡାଣ ବିଳମ୍ବ ହେଉଥିବାବେଳେ କେତେକ କ୍ଷେତ୍ରରେ ଉଡାଣ ସମ୍ପୂର୍ଣ୍ଣ ବାତିଲ ଫଳରେ ଯାତ୍ରୀଙ୍କୁ ନାନାଦି ସମସ୍ୟା ଭୋଗିବାକୁ ପଡୁଛି। ପାଇଲଟ୍ ଏବଂ କ୍ୟାବିନ କ୍ରୁ ଅଭାବ ସମେତ କାର୍ଯ୍ୟକ୍ଷମ ସମସ୍ୟା ଯୋଗୁଁ, ବୁଧବାର ସାରା ଦେଶରେ ଶହ ଶହ ବିମାନ ବାତିଲ କରାଯାଇଥିଲା। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ କୋଲକାତା ଭଳି ପ୍ରମୁଖ ବିମାନବନ୍ଦରରେ ଭିଡ଼ ଏବଂ ଅରାଜକତାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଥିଲା। ବିମାନ ସୂତ୍ର ଅନୁଯାୟୀ, ଗତ ତିନି ଦିନରେ ବାତିଲ ହୋଇଥିବା ବିମାନ ସଂଖ୍ୟା ୬୦୦ ଅତିକ୍ରମ କରିଛି।

ଏୟାରଲାଇନ୍ସର କାଉଣ୍ଟରରେ କର୍ମଚାରୀ ଅଭାବ ଯୋଗୁଁ ଯାତ୍ରୀମାନେ ପୁନଃବୁକିଂ ଏବଂ ଫେରସ୍ତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଯାତ୍ରୀ ନିରାଶ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କର ଯାତ୍ରା ଯୋଜନା ବାତିଲ କରିଛନ୍ତି। ଏହି ବଡ଼ ସଙ୍କଟର ମୁଖ୍ୟ କାରଣ ହେଉଛି ବହୁ ସଂଖ୍ୟକ ପାଇଲଟଙ୍କ ହଠାତ୍ ଅସୁସ୍ଥତା ଏବଂ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ (FDTL) ନିୟମାବଳୀ ଯୋଗୁଁ ଡ୍ୟୁଟି ରୋଷ୍ଟରରେ ବ୍ୟାଘାତ ଘଟିଛି। ଋତୁକାଳୀନ ଯାତ୍ରୀ ପ୍ରବାହ ଶୀର୍ଷରେ ଥିବା ସମୟରେ କମ୍ପାନୀର ପ୍ରସ୍ତୁତ ପାଇଲଟଙ୍କ ଅଭାବ ସମସ୍ୟା ସୃଷ୍ଟି କରୁଛି।

ଏହି ସଙ୍କଟ ମଧ୍ୟରେ ଇଣ୍ଡିଗୋର ପ୍ରଦର୍ଶନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟର ୱେବସାଇଟ୍ ଅନୁସାରେ ମଙ୍ଗଳବାର ୬ ମୁଖ୍ୟ ଘରୋଇ ବିମାନ ବନ୍ଦରରେ ଇଣ୍ଡିଗୋ ଅନ-ଟାଇମ୍ ପରଫର୍ମାନ୍ସ ମାତ୍ର ୩୫ ପ୍ରତିଶତ ରହିଥିଲା। ଇଣ୍ଡିଗୋ ୧୬୦ ଏ ୩୨୦ ଫ୍ୟାମିଲି ଏୟାରକ୍ରାଫ୍ଟର ଜରୁରୀ ଅପଗ୍ରେଡକୁ ପୂରା କରିସାରିଥିବାବେଳେ ଏଭଳି ଆଉ ୪୦ ଏୟାରକ୍ରାଫ୍ଟ ପାଇଁ ଜରୁରୀ ତଦାରଖ ଚାଲିଛି। ଅନ୍ୟପଟେ ଲଗାତାର ଉଡାଣ ବାତିଲ ଏବଂ ବିଳମ୍ବ ନେଇ ଡିଜିସିଏ ଯାଞ୍ଚ ଆରମ୍ଭ କରିବା ସହ ଇଣ୍ଡିଗୋକୁ ତାଗିଦା କରିଛି। ଏହା ଉପରେ ବିଚାର କରିବା ସହ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖିବାକୁ ଡିଜିସିଏ ପରାମର୍ଶ ଦେଇଛି।

ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ତରଫରୁ ଜାରି ବୟାନରେ ଇଣ୍ଡିଗୋକୁ ଏଭଳି କାହିଁକି ହେଉଛି ଏବଂ ସୁଧାର ପାଇଁ ଏୟାରଲାଇନ୍ କେଉଁ ପଦକ୍ଷେପ ନେଇଛି ସେ ନେଇ ପ୍ରଶ୍ନ କରାଯାଇଛି। ଡିଜିସିଏ ସ୍ପଷ୍ଟ କରିଛି ଯେ ଏଭଳି ହେବାର କାରଣ ସମ୍ପର୍କରେ ଜଣାଇଲେ ହେବନି, ବରଂ ଭବିଷ୍ୟତରେ ଯେମିତି ଏହାର ପୁରନାବୃତ୍ତି ନହୁଏ ସେଥିପ୍ରତି ମଧ୍ୟ କି ଯୋଜନା ରହିଛି ତାହା ସ୍ପଷ୍ଟ କରିବାକୁ ହେବ। ଯାତ୍ରୀଙ୍କ ବଢୁଥିବା ସମସ୍ୟା ଏବଂ ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସୁଥିବା ଭିଡିଓ ଓ ପ୍ରତିକ୍ରିୟାକୁ ନଜରରେ ରଖି ଡିଜିସିଏ ମାମଲାକୁ ଗୁରୁତ୍ବର ସହ ନେଇଛି। ବାରମ୍ବାର ଉଡାଣ ବାତିଲ ହେବା ଯୋଗୁଁ ଯାତ୍ରୀଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡୁଛି। ଡିଜିସିଏ କହିଛି କି ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆବଶ୍ୟକ ପଡିଲେ କଡା ପଦକ୍ଷେପ ନିଆଯିବ ଯାହା ଫଳରେ ଠିକ୍ ସମୟରେ ଉଡାଣକୁ ନେଇ ଯାତ୍ରୀଙ୍କ ଭରସା ଜିତିହେବ।

ଇଣ୍ଡିଗୋ କହିଛି ଯେ ଡିସେମ୍ବର ୫ ସୁଦ୍ଧା ପରିସ୍ଥିତି ସ୍ୱାଭାବିକ ହେବ। ବୁଧବାର ବିମାନ କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ଯେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି, ଶୀତକାଳୀନ ସମୟସୂଚୀ ପରିବର୍ତ୍ତନ, ଖରାପ ପାଗ, ଧୀର ବିମାନ ନେଟୱାର୍କ ଏବଂ କ୍ରୁ ସିଫ୍ଟ ଚାର୍ଟ ସମ୍ବନ୍ଧୀୟ ନୂତନ ନିୟମ କାର୍ଯ୍ୟକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିଛି। ଏହା ପୂର୍ବାନୁମାନ କରାଯାଇନଥିଲା। ଡିସେମ୍ବର ୫ ସୁଦ୍ଧା ପରିସ୍ଥିତି ସ୍ୱାଭାବିକ ହେବ।

Leave A Reply

Your email address will not be published.