Latest Odisha News

BREAKING NEWS

ଏସିଡ୍ ପୀଡିତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ତାଦିଗ୍: ୪ ସପ୍ତାହ ମଧ୍ୟରେ ସମସ୍ତ ହାଇକୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜଣେ ଏସିଡ୍ ଆକ୍ରମଣ ପୀଡିତାଙ୍କ ଯନ୍ତ୍ରଣା ବୁଝିଲେ ସୁପ୍ରିମକୋର୍ଟ। ଗୁରୁବାର ସୁପ୍ରିମକୋର୍ଟ ଜଣେ ଏସିଡ୍ ଆକ୍ରମଣରେ ଶିକାର ହୋଇଥିବା ପୀଡିତାଙ୍କ ଦୁଃଖଦ ପରିସ୍ଥିତିର ଶୁଣାଣି କରିବା ପରେ ନ୍ୟାୟ ବ୍ୟବସ୍ଥା ପ୍ରତି ଚିନ୍ତା ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ୧୬ ବର୍ଷ ଧରି ପଡ଼ି ରହିଥିବା ଏହି ମାମଲା ଜାତୀୟ ସ୍ଥରରେ ଲଜ୍ଜାର ବିଷୟ। କୋର୍ଟ ଦେଶର ବିଭିନ୍ନ ହାଇକୋର୍ଟକୁ ଚାରି ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟରେ ବିଚାରାଧୀନ ଏସିଡ୍ ଆକ୍ରମଣ ମାମଲା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି କହିଛନ୍ତି, ଏସିଡ୍ ଆକ୍ରମଣକାରୀଙ୍କ ପ୍ରତି ସହାନୁଭୂତି ଦେଖାନ୍ତୁ ନାହିଁ, ସମଗ୍ର ବ୍ୟବସ୍ଥା ସେମାନଙ୍କ ବିରୁଦ୍ଧରେ ଜବାବ ଦେବା ଉଚିତ।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସିଡ୍ ଆକ୍ରମଣ ପୀଡିତା ଶାହିନ ମଲିକଙ୍କ ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ଆବେଦନ ଉପରେ କେନ୍ଦ୍ର ସରକାର ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗକୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି। କୋର୍ଟ ଶାହିନ ମଲିକଙ୍କ ମାମଲାରେ ଦୀର୍ଘ ବିଳମ୍ବକୁ ଜାତୀୟ ସ୍ଥରରେ ଲଜ୍ଜାର ବିଷୟ ବୋଲି କହିଛନ୍ତି। ମାମଲାଟି ୨୦୦୯ ମସିହାରୁ ରୋହିଣୀ କୋର୍ଟରେ ବିଚାରାଧୀନ ଅଛି।

ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଶାହିନ ମଲିକ କୋର୍ଟକୁ କହିଛନ୍ତି ଯେ ୨୦୦୯ ମସିହାରେ ତାଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା। ଏହି ଘଟଣା ହରିୟାଣାର ପାନିପତରେ ଘଟିଥିଲା। ୨୦୧୪ ମସିହାରେ ତାଙ୍କ ଆବେଦନ ଆଧାରରେ ମାମଲାଟି ଦିଲ୍ଲୀର ରୋହିଣୀ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ବିଚାର ସମାପ୍ତ ହୋଇନାହିଁ। ଏହି ଘଟଣାରେ କୋର୍ଟ ଆଶ୍ଚର୍ଯ୍ୟ ଏବଂ ଅସନ୍ତୋଷ ପ୍ରକାଶ କରିଥିଲେ। କୋର୍ଟ କହିଥିଲେ, “ଏହା ନ୍ୟାୟ ବ୍ୟବସ୍ଥାର କେତେ ଉପହାସ। ଏହା ଲଜ୍ଜାଜନକ। ଯଦି ଜାତୀୟ ରାଜଧାନୀରେ ଏପରି ମାମଲା ପରିଚାଳନା କରାଯାଇ ପାରିବ ନାହିଁ, ତେବେ କିଏ କରିବ? ଏହା ଏକ ଜାତୀୟ ଅପମାନ।”

ସିଜେଆଇ ଶାହିନ ମଲିକଙ୍କୁ ପିଆଇଏଲ ମଧ୍ୟରେ ଏକ ଆବେଦନ ଦାଖଲ କରିବାକୁ ଏବଂ ମାମଲା କାହିଁକି ଶେଷ ହୋଇନାହିଁ ତାହା ବ୍ୟାଖ୍ୟା କରିବାକୁ କହିଥିଲେ। ସେ ଶାହିନ ମଲିକଙ୍କୁ ଆଶ୍ୱାସନା ଦେଇଥିଲେ ଯେ କୋର୍ଟ ଏହି ମାମଲାର ସ୍ୱତଃ ତଦନ୍ତ କରିପାରିବ। ଖଣ୍ଡପୀଠ ଚାରି ସପ୍ତାହ ମଧ୍ୟରେ ସମସ୍ତ ହାଇକୋର୍ଟର ରେଜିଷ୍ଟ୍ରିରୁ ବିବରଣୀ ମାଗିଥିଲେ। ଶୁଣାଣି ସମୟରେ, ଶାହିନ ମଲିକ ପୀଡିତାମାନେ ସମ୍ମୁଖୀନ ହେଉଥିବା କଷ୍ଟ ଉପରେ ଆଲୋକପାତ କରିଥିଲେ, ସେମାନେ କିପରି ଖାଇବା କିମ୍ବା ପିଇବାକୁ ଅସମର୍ଥ, କୃତ୍ରିମ ଖାଦ୍ୟ ଟ୍ୟୁବ ଆବଶ୍ୟକ ଏବଂ ଗୁରୁତର ଅକ୍ଷମତା ସହିତ ବଞ୍ଚୁଛନ୍ତି ତାହା ବର୍ଣ୍ଣନା କରିଥିଲେ।

ମୁଖ୍ୟ ବିଚାରପତି କେନ୍ଦ୍ରକୁ ଆଇନ ସଂଶୋଧନ କରିବା ପାଇଁ ଅନୁରୋଧ କରିଥିଲେ। ଆଇନ ମାଧ୍ୟମରେ ହେଉ କିମ୍ବା ଅଧ୍ୟାଦେଶ ମାଧ୍ୟମରେ, ଏସିଡ୍ ଆକ୍ରମଣ ପୀଡିତଙ୍କୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ ଅନୁଯାୟୀ ସବୁ ସୁବିଧା ଆନୁଷ୍ଠାନିକ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି। ସିଜେଆଇ କହିଛନ୍ତି ଯେ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଏସିଡ୍ ଆକ୍ରମଣ ମାମଲାଗୁଡ଼ିକର ଶୁଣାଣି ସ୍ୱତନ୍ତ୍ର ଅଦାଲତ ଦ୍ୱାରା କରାଯିବା ଉଚିତ।

Leave A Reply

Your email address will not be published.