ନୂଆଦିଲ୍ଲୀ: ବିହାରର ଏନଡିଏ ସରକାରଙ୍କ ମନ୍ତ୍ରୀ ଏବଂ ଯୁବ ନେତା ନୀତିନ ନବୀନଙ୍କୁ ଜାତୀୟ କାର୍ଯ୍ୟକାରିଣୀ ସଭାପତି ଭାବରେ ବିଜେପି ନିଯୁକ୍ତ କରିଛି। ଏପରି ଜଣେ ଯୁବ ନେତାଙ୍କ ନିଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ତାଙ୍କୁ ତାଙ୍କ ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ଜନତା ପାର୍ଟି ନୀତିନ ନବୀନଙ୍କୁ ଏହି ବଡ଼ ଦାୟିତ୍ୱ ଦେଇଥିବାବେଳେ, ବିଜେପିର ସଂସଦୀୟ ବୋର୍ଡ ତାଙ୍କୁ ଦଳର ଜାତୀୟ କାର୍ଯ୍ୟକାରିଣୀ ସଭାପତି ଭାବେ ନିଯୁକ୍ତ କରିଛି। ହେଲେ ଜଣେ ଯୁବ ଚେହେରା, ବିଧାୟକରୁ ମନ୍ତ୍ରୀ ହୋଇଥିବା ନେତା, ଆଉ ଉତ୍ତମ ସଙ୍ଗଠକଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରି ବଡ଼ ସଙ୍କେତ ଦେଇଛି ଭାରତୀୟ ଜନତା ପାର୍ଟି ।
ନବୀନ ପାଟନାର ବାଙ୍କିପୁର ନିର୍ବାଚନମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ହୋଇଛନ୍ତି। ୨୬ ବର୍ଷ ବୟସରେ, ସେ ତାଙ୍କ ପିତା ଏବଂ ଦଳର ପୁରୁଖା ନେତା ନବୀନ କିଶୋର ସିହ୍ନାଙ୍କ ମୃତ୍ୟୁ ପରେ ଖାଲି ହୋଇଥିବା ପାଟନା ପଶ୍ଚିମ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେବେଠାରୁ ସେ ଲଗାତାର ବିଜୟୀ ହୋଇ ଆସୁଛନ୍ତି। ନୀତିନ ନବୀନ ସିହ୍ନା କାୟସ୍ଥ ସମ୍ପ୍ରଦାୟର ଜଣେ ଭାରତୀୟ ରାଜନେତା ଏବଂ ସାମାଜିକ କର୍ମୀ। ନୀତିନ ନବୀନ ଏବେ ବିହାର ସରକାରରେ ମନ୍ତ୍ରୀ ଅଛନ୍ତି । ଆଉ ଏହି ନୂତନ ଆଦେଶ ମିଳିବା ପରେ ଏବେ ସେ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିସେମ୍ବର ୧୪, ୨୦୨୫ ଠାରୁ ସେ ଏହି ନୂତନ ପଦବୀରେ ଅବସ୍ଥାପିତ ହୋଇଛନ୍ତି।
ବିଜେପି ମୁଖ୍ୟାଳୟରେ ଭବ୍ୟ ସ୍ୱାଗତ
ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେବା ପରେ, ବିହାର ମନ୍ତ୍ରୀ ନୀତିନ ନବୀନ ଦିଲ୍ଲୀରେ ପହଞ୍ଚିବା ପରେ ବିଜେପି ମୁଖ୍ୟାଳୟରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଦଳୀୟ କର୍ମୀ ଏବଂ ନେତାମାନେ ମୁଖ୍ୟାଳୟରେ ଉତ୍ସାହର ସହିତ ତାଙ୍କୁ ସ୍ୱାଗତ କରିଥିଲେ। ପୀୟୁଷ ଗୋୟଲଙ୍କଠାରୁ ଅମିତ ଶାହଙ୍କ ପର୍ଯ୍ୟନ୍ତ ଅନେକ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ। ବିଜେପିର ସଭାପତି ହେବା ରେସରେ ଅନେକ ନେତା ଥିଲେ ବି, ନୀତିନ ନବୀନଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ବାଛି ଦଳ ଦେଇଛି ବଡ଼ ସଙ୍କେତ।
ରାଜ୍ୟ ସ୍ତରୀୟ ନେତାରୁ ଜାତୀୟ ହାଇକମାଣ୍ଡ
ନୀତିନ ନବୀନ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ପ୍ରାୟ ୮୪,୦୦୦ ଭୋଟରେ ଜିତିଥିଲେ। ପୂର୍ବ ନିର୍ବାଚନରେ, ସେ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନାଙ୍କୁ ବଡ଼ ଭୋଟ ରେ ପରାସ୍ତ କରିଥିଲେ। ନୀତିନ ନବୀନ ୨୦୦୬ରେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ । ତାଙ୍କ ପିତାଙ୍କ ମୃତ୍ୟୁ ପରେ ରାଜନୈତିକ ଦାୟିତ୍ବକୁ ସେ ହାତକୁ ନେଇଥିଲେ। ଏହା ପରେ, ସେ ୨୦୧୦, ୨୦୧୫ ଏବଂ ୨୦୨୦ ଏବଂ ଏବେ ପୁଣି ୨୦୨୫ରେ କ୍ରମାଗତ ଭାବରେ ଜିତିଛନ୍ତି। ବିଜେପିର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ ହୋଇଥିବା ନୀତିନ ନବୀନଙ୍କ ବୟସ ମାତ୍ର ୪୫ ବର୍ଷ। ସେ ବିଜେପି ଇତିହାସରେ ଦଳର ଦାୟିତ୍ୱ ଗ୍ରହଣ କରିଥିବା ସବୁଠାରୁ ଯୁବ ନେତା। ଅଟଳ ବିହାରୀ ବାଜପେୟୀଙ୍କଠାରୁ ଜେପି ନଡ୍ଡାଙ୍କ ପର୍ଯ୍ୟନ୍ତ ଯେତେ ବି ନେତା ବିଜେପିର ସଭାପତି ହୋଇଥିଲେ, ତାଙ୍କ ଭିତରେ, ଅମିତ ଶାହ ଥିଲେ ସବୁଠାରୁ ଯୁବ ସଭାପତି। ଅମିତ ଶାହ ମାତ୍ର ୪୯ ବର୍ଷ ବୟସରେ ବିଜେପିର ସଭାପତି ହୋଇଥିଲେ। କିନ୍ତୁ ନୀତିନ ନବୀନ ମାତ୍ର ୪୫ ବର୍ଷ ବୟସରେ ଏହି ପଦ ଗ୍ରହଣ କରିବାକୁ ଯାଉଛନ୍ତି। ଯାହାକି ଜଣାଇ ଦେଉଛି ଯେ, ବିଜେପି ଭବିଷ୍ୟତକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛି। ବିଜେପି ୨୦୨୯ ନିର୍ବାଚନ ପାଇଁ ଏବେଠୁ ଚିନ୍ତା କରିବା ଆରମ୍ଭ କରିଛି ଆଉ ସେଥିପାଇଁ ନୀତିନ ନବୀନଙ୍କ ଭଳି ଜଣେ ଯୁବ ନେତାଙ୍କୁ ଦଳର ଅଧ୍ୟକ୍ଷ ବାଛିଛି ବୋଲି ଚର୍ଚ୍ଚା ହେଉଛି। ନୀତିନଙ୍କ କାମ, ଅଭିଜ୍ଞତାକୁ ଦେଖି ଏବେ ବିଜେପିର ଶୀର୍ଷ ନେତୃତ୍ୱ ତାଙ୍କୁ ଦେଇଛନ୍ତି ବଡ଼ ଦାୟିତ୍ୱ । ଦଳରେ କାମ କଲେ ଯେ କୌଣସି ନେତା, ଦଳର ଶୀର୍ଷ ଆସନରେ ବସିପାରିବେ ବୋଲି ଇସାରା ଦେଇଛି ଭାରତୀୟ ଜନତା ପାର୍ଟି।
ନୀତିନ ନବୀନଙ୍କର ରାଜନୈତିକ ଅଭିଜ୍ଞତା
ନୀତିନ ନବୀନଙ୍କର ରାଜନୈତିକ ଅଭିଜ୍ଞତା ଏବଂ ସଂଗଠନ ଦକ୍ଷତା ଉଭୟ ରହିଛି। ବିହାରରେ ରାସ୍ତା ନିର୍ମାଣ ମନ୍ତ୍ରୀ ଭାବରେ, ସେ ବେଶ ସଫଳତା ପାଇଛନ୍ତି। ଜଣେ ବିଧାୟକ ଭାବରେ, ସେ ପାଟନାର ବାଙ୍କିପୁରର ଗୁରୁତ୍ୱପୂର୍ଣ୍ଣ ଆସନକୁ ବିଜେପି ଗଡ଼ ଭାବରେ ରଖିଥିଲେ। ବିଜେପି ଯେଉଁ ସବୁ ରାଜ୍ୟରେ ତାଙ୍କ ସାଂଗଠନିକ କାର୍ଯ୍ୟ ଦେଇଥିଲା, ସେଥିରେ ମଧ୍ୟ ସକ୍ସେସ ହେଇଥିଲେ। ଯାହାକି ସଙ୍କେତ ଦେଉଥିଲା ଯେ ଦଳ ତାଙ୍କୁ ବିହାର ବାହାରେ ଜଣେ ପ୍ରମୁଖ ନେତା ଭାବରେ ଦେଖୁଥିଲା ଖାସ୍ କରି ବୁଥ୍ ସ୍ତରରେ ମାଇକ୍ରୋ-ମ୍ୟାନେଜ୍ କରିବାରେ ସେ ବେଶ ମାହିର୍। ତେଣୁ ତାଙ୍କ ଭଳି ଜଣେ ନେତାଙ୍କୁ ଦାୟିତ୍ୱ ଦେଇ ଦଳ ଉଭୟ ସଙ୍ଗଠନ ଏବଂ ସରକାରରେ ଆହୁରି ବଡ଼ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି ।
ମୂଳଦୁଆକୁ ମଜଭୁତ କରିବା ଲକ୍ଷ୍ୟରେ ବିଜେପି
ନୀତିନ ନବୀନଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରି, ବିଜେପି କାୟସ୍ଥ ସମ୍ପ୍ରଦାୟକୁ ଏକ ବଡ଼ ରାଜନୈତିକ ବାର୍ତ୍ତା ଦେଇଛି। ନୀତିନ ନବୀନ ନିଜେ କାୟସ୍ଥ ସମ୍ପ୍ରଦାୟରୁ ଆସୁଛନ୍ତି। ଜନସଂଘରୁ ବିଜେପି ପର୍ଯ୍ୟନ୍ତ, କାୟସ୍ଥ ସମ୍ପ୍ରଦାୟ ବିଜେପିର ମୂଳ ଭୋଟ ବ୍ୟାଙ୍କ ହୋଇ ରହିଆସିଛି। ତେଣୁ ଜାତିଗତ ସମୀକରଣ ଦୃଷ୍ଟିରୁ ମଧ୍ୟ ନୀତିନ ନବୀନ ବିଜେପି ପାଇଁ ଫିଟ୍ ବସିଛନ୍ତି। ତେଣୁ ଏଭଳି ଜଣେ ନେତାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରି ବିଜେପି ନିଜର ଭବିଷ୍ୟତର ରଣନୀତି ନେଇ ସଙ୍କେତ ଦେଇଛି। ଏଥିରୁ ଜଣାପଡୁଛି, ୨୦୨୯ ନିର୍ବାଚନ ପାଇଁ ଏବେଠୁ ମୂଳଦୁଆକୁ ମଜଭୁତ କରିବା ଆରମ୍ଭ କରିଛି ବିଜେପି।