ଭୁବନେଶ୍ୱର: ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର। ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା। ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ହୋଇଛି। ଏହା ମଧ୍ୟରୁ ଗୋଟିଏ ଲେନ୍ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ। ସର୍ଭିସ୍ ରୋଡକୁ ପ୍ରଶସ୍ତ କରାଯିବ। ଯେଉଁଠି ଆବଶ୍ୟକ ପଡିବ, ଡ୍ରେନ୍ ଘୁଞ୍ଚିବ ଓ ଜମି ଅଧିଗ୍ରହଣ ବି ହେବ। ଏମିତି ଯୋଜନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର।
ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏନେଇ ପ୍ରାଥମିକ ସର୍ଭେ ବି କରିସାରିଛି । ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହେବ । ଏବେ ଖଣ୍ଡଗିରି ଛକରୁ ଏମ୍ସ ଯାଏ କିଛି ସ୍ଥାନରେ ରାସ୍ତା ତିନିଲେନ୍ ଅଛି । ଆଉ କିଛି ସ୍ଥାନରେ ରାସ୍ତା ସଙ୍କୁଚିତ ହୋଇଛି, ଦୁଇ-ଲେନ୍ ଅଛି । ଏଇ ପୂରା ରାସ୍ତାକୁ ତିନି-ଲେନ୍ରେ ପରିଣତ କରାଯିବ । ଏଥିରୁ ଗୋଟିଏ ଲେନ୍ ସମ୍ପୂର୍ଣ୍ଣ ଭାବେ ଆମ୍ବୁଲାନ୍ସ ପାଇଁ ଉତ୍ସର୍ଗିକୃତ ରହିବ । ଏହି କରିଡରକୁ ହଳଦିଆ ରଙ୍ଗରେ ଚିହ୍ନଟ କରାଯିବ । ଏଥିରେ ଯେଉଁଭଳି ଅନ୍ୟ କୌଣସି ଗାଡି ଚଳାଚଳ ନ କରେ, ସେଥିପାଇଁ କିଛି ସୁରକ୍ଷାକର୍ମୀ ବି ନିୟୋଜିତ ହେବେ । କିଛି ସ୍ଥାନରେ ସିସି କ୍ୟାମେରା ବି ଲାଗିବ । ଅନ୍ୟଗାଡି ଅମାନିଆ ହୋଇ ଏହି କରିଡରରେ ପଶିଲେ ଜରିମାନା ଆଦାୟ ହେବ ବୋଲି ଏନଏଚଏଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ବୁଧବାର ଏନେଇ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଏକାମ୍ର(ଭୁବନେଶ୍ୱର) ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଏମ୍ସର ଚାରିପାଖର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଶେଷକରି ଏହି ଜାତୀୟସ୍ତରୀୟ ସ୍ୱାସ୍ଥ୍ୟାନୁଷ୍ଠାନ ଭିତରେ ଥିବା ସ୍ୱେରେଜ୍ ବ୍ୟବସ୍ଥା, ଭିତର ଓ ଚାରିପାଖର ରାସ୍ତାର ପୁନଃନିର୍ମାଣ, ଆଲୋକୀକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଏମ୍ସକୁ ଆସୁଥିବା ରୋଗୀ ଓ ସାଧାରଣ ଲୋକଙ୍କ ସୁବ୍ୟବସ୍ଥିତ ଗମନାଗମନ ପାଇଁ ଟ୍ରାଫିକ୍ ବ୍ୟବସ୍ଥା ସଜାଡିବା ଓ ଅପରାଧ ରୋକିବା ପାଇଁ ସିସିଟିଭି ଲଗାଇବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।