ନୂଆଦିଲ୍ଲୀ: ୧୯୪୭ ପୂର୍ବରୁ ଭାରତ ଓ ପାକିସ୍ତାନ ବିଭାଜନ ନହେବା ବେଳେ ଭାରତରେ ଅନେକ ପ୍ରସିଦ୍ଧ କମ୍ପାନୀ ସ୍ଥାପିତ ହୋଇଥିଲା । ପରେ ବିଭାଜନ ହେବା ପରେ ଏହି କମ୍ପାନୀଗୁଡ଼ିକ ବିଭକ୍ତ ହୋଇଯାଇଥିଲା । ଏହିଭଳି କିଛି କମ୍ପାନୀ ଆଜି ବି ପାକିସ୍ତାନ ପାଇଁ ଧନ ରୋଜଗାର କରୁଛନ୍ତି । ଆସନ୍ତୁ ଜାଣିବା ଏହି କମ୍ପାନୀଗୁଡ଼ିକ କଣ ।
ବ୍ୟବସାୟ ଉପରେ ବିଭାଜନର ପ୍ରଭାବ
୧୯୪୭ ମସିହାରେ ଭାରତର ବିଭାଜନରେ କେବଳ ଭୂମି ଓ ଲୋକଙ୍କୁ ହିଁ ବାଣ୍ଟି ଦିଆଯାଇ ନ ଥିଲା, ବରଂ ଏହା ଉଦ୍ୟୋଗ, ବ୍ୟାଙ୍କ ଏବଂ ବାଣିଜ୍ୟିକ ଉଦ୍ୟୋଗଗୁଡ଼ିକୁ ମଧ୍ୟ ବାଣ୍ଟି ଦେଇଥିଲା । ଚାଲିଥିବା ବ୍ୟବସାୟଗୁଡ଼ିକୁ ହେଲେ ଗୋଟିଏ ପକ୍ଷ ବାଛିବାକୁ ପଡ଼ିଥିଲା କିମ୍ବା ନିଜର କାର୍ଯ୍ୟକଳାପଗୁଡ଼ିକୁ ବାଣ୍ଟିବାକୁ ପଡ଼ିଥିଲା । ଏହାର ଫଳସ୍ୱରୂପ ମୁମ୍ବାଇ, ଦିଲ୍ଲୀ ଏବଂ ଲାହୋର ଭଳି ସହରରେ ଆରମ୍ଭ ହୋଇଥିବା ଅନେକ କମ୍ପାନୀ ଭାରତ ଓ ପାକିସ୍ତାନରେ ଭିନ୍ନ ଭିନ୍ନ ମାଲିକାନା ଏବଂ ଆଇନଗତ ଢାଞ୍ଚା ଅଧୀନରେ ସ୍ୱାଧୀନ ଭାବେ ନିଜର ଯାତ୍ରା ଜାରି ରଖିଥିଲା ।
ହମଦର୍ଦ ଲ୍ୟାବୋରେଟରୀଜ୍
ହମଦର୍ଦ ଲ୍ୟାବୋରେଟରୀଜ୍ର ସ୍ଥାପନା ୧୯୦୬ ମସିହାରେ ଦିଲ୍ଲୀରେ ହକିମ ହାଫିଜ ଅବଦୁଲ ମଜିଦଙ୍କ ଦ୍ୱାରା ଏକ ୟୁନାନୀ ଔଷଧ କ୍ଲିନିକ୍ ରୂପେ ହୋଇଥିଲା । ବିଭାଜନ ପରେ ତାଙ୍କର ଛୋଟ ପୁଅ ହକିମ ମହମ୍ମଦ ସଈଦ ୧୯୪୮ ମସିହାରେ କରାଚୀକୁ ଯାଇ ହମଦର୍ଦ ପାକିସ୍ତାନର ସ୍ଥାପନା କରିଥିଲେ । ଆଜି ହମଦର୍ଦ ଇଣ୍ଡିଆ ଏବଂ ହମଦର୍ଦ ପାକିସ୍ତାନ ସମ୍ପୂର୍ଣ୍ଣ ସ୍ୱାଧୀନ ଦାତବ୍ୟ ଟ୍ରଷ୍ଟ ରୂପେ କାର୍ଯ୍ୟ କରୁଛନ୍ତି। ଉଭୟ ଏକକ ମଧ୍ୟରୁ କୌଣସି ଏକ ଅନ୍ୟ ଏକକ ପାଇଁ ଧନ ରୋଜଗାର କରନ୍ତି ନାହିଁ ଏବଂ ଉଭୟ ନିଜ ନିଜ ଦେଶରେ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ସାମାଜିକ କଳ୍ୟାଣରେ ଲାଭକୁ ପୁନଃ ନିବେଶ କରନ୍ତି ।
ହବିବ ବ୍ୟାଙ୍କ ଲିମିଟେଡ୍
ହବିବ ବ୍ୟାଙ୍କ ଲିମିଟେଡ୍ର ସ୍ଥାପନା ୧୯୪୧ ମସିହାରେ ମୁମ୍ବାଇରେ ହବିବ ପରିବାର ଦ୍ୱାରା ମହମ୍ମଦ ଅଲି ଜିନ୍ନାଙ୍କ ଅନୁରୋଧରେ ହୋଇଥିଲା । ପାକିସ୍ତାନ ସୃଷ୍ଟି ହେବା ପରେ ବ୍ୟାଙ୍କ ନିଜର ମୁଖ୍ୟାଳୟକୁ କରାଚୀକୁ ସ୍ଥାନାନ୍ତର କରିଥିଲା ଏବଂ ପାକିସ୍ତାନର ପ୍ରଥମ ବାଣିଜ୍ୟିକ ବ୍ୟାଙ୍କ ହୋଇଥିଲା । ୧୯୭୪ ମସିହାରେ ରାଷ୍ଟ୍ରୀୟକରଣ ପରେ ହବିବ ବ୍ୟାଙ୍କ ଲିମିଟେଡ୍ ଏବେ ପାକିସ୍ତାନର ସବୁଠାରୁ ବଡ଼ ବ୍ୟାଙ୍କ । ଏହି ବ୍ୟାଙ୍କ ୨୫ରୁ ଅଧିକ ଦେଶରେ କାର୍ଯ୍ୟ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ଏହାର ଭାରତ ସହ କୌଣସି କାର୍ଯ୍ୟଗତ କିମ୍ବା ଆର୍ଥିକ ସମ୍ପର୍କ ନାହିଁ ।
ଆଲାଇଡ୍ ବ୍ୟାଙ୍କ
ଏହି ବ୍ୟାଙ୍କର ଆରମ୍ଭ ୧୯୪୨ ମସିହାରେ ଲାହୋରରେ ଅଷ୍ଟ୍ରେଲେସିଆ ବ୍ୟାଙ୍କ ରୂପେ ହୋଇଥିଲା । ବିଭାଜନ ପରେ ଅନେକ ଭାରତୀୟ ବ୍ୟାଙ୍କ ପାକିସ୍ତାନରୁ ବାହାରକୁ ଚାଲିଯାଇଥିଲେ, ଯାହା ଆଲାଇଡ୍ ବ୍ୟାଙ୍କକୁ ଦ୍ରୁତ ବଢ଼ିବାର ସୁଯୋଗ ଦେଇଥିଲା । ବ୍ୟାଙ୍କର ୧୯୭୪ ମସିହାରେ ରାଷ୍ଟ୍ରୀୟକରଣ ହୋଇଥିଲା ଏବଂ ପରେ ଏହାର ଘୋରଇକରଣ କରାଯାଇଥିଲା ।
ଡାଲଡାଡାଲଡା ବ୍ରାଣ୍ଡ୍
୧୯୩୭ ମସିହାରେ ବ୍ରିଟିଶ ଭାରତରେ ହିନ୍ଦୁସ୍ତାନ ଭନସ୍ପତି ମ୍ୟାନୁଫ୍ୟାକ୍ଚରିଂ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ବିଭାଜନ ପରେ ଡାଲଡା ପାକିସ୍ତାନରେ ମଧ୍ୟ ବହୁତ ପ୍ରସିଦ୍ଧ ହୋଇଯାଇଥିଲା । ୨୦୦୦ ଦଶକର ଆରମ୍ଭରେ ୟୁନିଲିଭର ଉଭୟ ଦେଶରେ ଡାଲଡା ବ୍ରାଣ୍ଡ୍କୁ ଭିନ୍ନ ଭିନ୍ନ ଭାବେ ବିକ୍ରି କରିଦେଇଥିଲା । ଭାରତରେ ଏହାକୁ ବଞ୍ଜ ଲିମିଟେଡ୍ କିଣିଥିଲା ଏବଂ ପାକିସ୍ତାନରେ ଏହା ଓ୍ୱେଷ୍ଟବରୀ ଗ୍ରୁପ୍ ହାତକୁ ଚାଲିଯାଇଥିଲା । ଓ୍ୱେଷ୍ଟବରୀ ଗ୍ରୁପ୍ ଏହାର ନାମ ବଦଳାଇ ଡାଲଡା ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ କରିଦେଇଥିଲା ।