Latest Odisha News

BREAKING NEWS

ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ଅମାନ୍ୟ କରି କ୍ରସ୍ ଭୋଟିଂ କରିଥିବା ଅଭିଯୋଗ ମାମଲାରେ ଓଡ଼ିଶା ହାଇକୋର୍ଟ ୫ ଜଣ ବିଜେଡି ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଦ୍ୱାରା ଦାୟର କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ମାନ୍ୟବର ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ନୋଟିସର ଜବାବ ଦାଖଲ କରିବାକୁ ଏହି ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଚର୍ଚ୍ଚା ଜୋର ଧରିଛି। ହାଇକୋର୍ଟଙ୍କ ନୋଟିସ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଓ ଚକ୍ରମଣୀ କହଁର। ଆଜି ୫ଟି ରିଟ୍ ଉପରେ ଶୁଣାଣି ହୋଇଥିବାରୁ ୫ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି । କ୍ରସଭୋଟିଂ କରିଥିବା ଅନ୍ୟ ବିଜେଡି ବିଧାୟକଙ୍କୁ ନୋଟିସ ଜାରି ହୋଇନାହିଁ ।

ଏହି ସମସ୍ତ ବିଧାୟକଙ୍କୁ ୪ ଡିସେମ୍ବର ସୁଦ୍ଧା କୋର୍ଟରେ ନିଜର ପକ୍ଷ ରଖି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ସମ୍ପୂର୍ଣ୍ଣ ଶୁଣାଣି ଆସନ୍ତା ବର୍ଷ ଜାନୁଆରୀ ୧୧ ତାରିଖରେ ଅନୁଷ୍ଠିତ ହେବ। ଆଡଭୋକେଟ୍ ଜେନେରାଲ୍ ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି ଯେ, ଗତ ଜୁନ୍ ମାସରେ ବିଧାନସଭାର ବାଚସ୍ପତି ବିଜେଡି ତରଫରୁ ଆଗତ ଏକ ଆବେଦନକୁ ଖାରଜ କରିଦେଇଥିଲେ । କ୍ରସଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ବିଜେଡି ଆବେଦନ କରିଥିଲା । ଏହା ଖାରଜ ହେବା ପରେ ବିଜେଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ୮ ଜଣ ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରାଯାଇଥିଲା। ମାତ୍ର ବାଚସ୍ପତି ଏହାକୁ ଖାରଜ କରିଦେବା ପରେ ବିଜେଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

 

Leave A Reply

Your email address will not be published.