ଟୋକିଓ: ଯଦି ଆପଣ କୌଣସି ଘରକୁ ଭଡ଼ାରେ ନେବାକୁ ଯାଆନ୍ତି ଏବଂ ସେଠାରେ ଭୂତ ଥିବା ଜାଣିବାକୁ ପାଆନ୍ତି, ତେବେ ହୁଏତ ତୁରନ୍ତ ସେଠାରୁ ପଳାଇବେ । କିନ୍ତୁ ଜାପାନର ରାଜଧାନୀ ଟୋକିଓରେ ଏହାର ସମ୍ପୂର୍ଣ୍ଣ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି । ସେଠାରେ ଅନେକ ଲୋକ ଘର କିଣିବା କିମ୍ବା ଭଡ଼ାରେ ନେବାକୁ ପଛାଉ ନାହାନ୍ତି । ଜାପାନରେ ଯେଉଁ ଘର କିମ୍ବା ଆପାର୍ଟମେଣ୍ଟରେ କାହାର ଅସ୍ୱାଭାବିକ ମୃତ୍ୟୁ, ଆତ୍ମହତ୍ୟା କିମ୍ବା ହତ୍ୟା ଭଳି ଘଟଣା ଘଟିଥାଏ, ସେହି ସମ୍ପତ୍ତିଗୁଡ଼ିକୁ ‘ଜିକୋ ବୁକେନ୍’ କୁହାଯାଏ । ଆଇନ ଅନୁଯାୟୀ, ଘର ମାଲିକ କିମ୍ବା ଏଜେଣ୍ଟଙ୍କୁ ନୂଆ ଭଡ଼ାଟିଆଙ୍କୁ ଏହି ବିଷୟରେ ଜଣାଇବା ବାଧ୍ୟତାମୂଳକ । ତଥ୍ୟ ଅନୁଯାୟୀ, ଜାପାନରେ ପ୍ରତିବର୍ଷ ପ୍ରାୟ ୩୫,୦୦୦ ରୁ ୪୦,୦୦ ଜିକୋ ବୁକେନ ସମ୍ପତ୍ତି ନୂଆ କରି ତାଲିକାଭୁକ୍ତ ହୋଇଥାଏ ।
ଟୋକିଓର ବାସିନ୍ଦା ରିଭା ପ୍ରଥମ ଥର ଫ୍ଲାଟ୍ ଦେଖିବାକୁ ଯାଇଥିବା ବେଳେ ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ଚାହିଁ ରହିଥିବାର ଅନୁଭବ କରିଥିଲେ । ସେହି ସମୟରେ ଏଜେଣ୍ଟଙ୍କୁ କେହି ଦେଖାଯାଇ ନଥିବାରୁ ସେ ତାହାକୁ ଆତ୍ମା ବୋଲି ଭାବିଥିଲେ । ତଥାପି ଡରିବା ବଦଳରେ ସେ ସେହି ଫ୍ଲାଟ୍ରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଗତ ୪ ବର୍ଷ ହେବ ସେ ସେହି ଆପାର୍ଟମେଣ୍ଟରେ ରହୁଛନ୍ତି ଏବଂ ଅନେକ ସମୟରେ ଅଲୌକିକ ଶବ୍ଦ ଓ ପାଦଶବ୍ଦ ଶୁଣିବାକୁ ପାଉଥିବା ଦାବି କରିଛନ୍ତି । ଏହିପରି ଘରଗୁଡ଼ିକର ଭଡ଼ା କିମ୍ବା ବିକ୍ରି ମୂଲ୍ୟ ସାଧାରଣ ଘର ଅପେକ୍ଷା ୨୦% ରୁ ୫୦% ପର୍ୟ୍ୟନ୍ତ କମ୍ ଥାଏ । ବିଶେଷ କରି ଯୁବପିଢ଼ି ଓ ଅନ୍ଧବିଶ୍ୱାସକୁ ନମାନୁଥିବା ଲୋକେ କମ୍ ଖର୍ଚ୍ଚରେ ଭଲ ସ୍ଥାନରେ ରହିବା ପାଇଁ ଏହି ଜିକୋ ବୁକେନକୁ ବାଛୁଛନ୍ତି ।

