ଭୁବନେଶ୍ବର:ରୁପାଲି ଛକରେ ଦୁର୍ଘଟଣା ଘଟାଇଥିବା ଆମ ବସ୍ ଡ୍ରାଇଭର ଗିରଫ । ଗିରଫ ଚାଳକ ହେଲେ ସଚିତ୍ର ସାହୁ। ତାଙ୍କର ବୟସ ୫୫ ବର୍ଷ। ତାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୫ ଆଧାରରେ ଗିରଫ କରାଯାଇଛି। CCTV ଫୁଟେଜରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବସଟି ପଛପଟୁ ଠିଆ ହୋଇଥିବା ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା।
ଭୁବନେଶ୍ୱର ରୁପାଲି ଟ୍ରାଫିକ୍ ଉପରେ ଏକ ଅଟୋକୁ ପଛରୁ ଧକ୍କା ଦେଇଛି ‘ଆମ ବସ୍’ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଆଗରେ ଥିବା ଆଉ ଏକ ବସ୍ରେ ଅଟୋଟି ଚାପି ହୋଇଯାଇଥିଲା । ଫଳରେ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଛି । ଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ଜୀବନ । ଅଟୋ-ରିକ୍ସାରେ ଦୁଇଜଣ ଯାତ୍ରୀ ଥିଲେ। ଜଣେ ଯାତ୍ରୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ସୂଚନାଥାଉକି, ଶନିବାର ରାମ ମନ୍ଦିର ପଟୁ ବାଣୀବିହାର ଅଭିମୁଖେ ଯାଉଥିଲା ଅଟୋ । ରେଡ୍ ସିଗନାଲ୍ ଥିବାରୁ ଟ୍ରାଫିକ୍ ଛକରେ ଅଟକିଥିଲା । ସାମ୍ନାରେ ଥିଲା ଏକ ସ୍କୁଲ୍ ବସ୍ । ଏହି ସମୟରେ ହଠାତ୍ ପଛପଟୁ ମାଡ଼ି ଆସିଥିଲା ‘ଆମ ବସ୍’ । ଆଉ ଅଟୋଟିକୁ ଚାପି ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆମ ବସ୍ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆମ ବସ୍ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ପ୍ରାୟ ଘଣ୍ଟାଏ କାଳ ଜନପଥ ରାସ୍ତାରେ ବେହାଲ୍ ହୋଇଥିଲା ଟ୍ରାଫିକ୍ । ପ୍ରତ୍ୟକ୍ଷଦର୍ଶୀମାନେ ସିଧାସଳଖ ଭାବେ ‘ଆମ ବସ୍’ ଚାଳକଙ୍କୁ ଦୋଷାରୋପ କରିଛନ୍ତି । ସେମାନଙ୍କ ଅଭିଯୋଗ କରିଛନ୍ତି ଯେ, ବସ୍ ଚାଳକଙ୍କ ଅବହେଳା ଏବଂ ଟ୍ରାଫିକ୍ ସିଗ୍ନାଲରେ ବସ୍ ନ ରହିବାରୁ ଦୁର୍ଘଟଣାଟି ଘଟିଛି ।
ଏହି ଘଟଣାକୁ ନେଇ CRUT ଦୁଃଖ ପ୍ରକାଶ କରିବା ସହିତ ମୃତକ ଓ ଆହତଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି । ଏହି ଘଟଣାରେ ଆହତ ବ୍ୟକ୍ତିଙ୍କୁ ପଚାଶ ହଜାର ଟଙ୍କା କ୍ଷତିପୂରଣ ଦେଇଥିବା ବେଳେ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ସ୍ୱରୂପ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି ବୋଲି CRUT କହିଛି ।