Latest Odisha News

BREAKING NEWS

କୃଷି କ୍ଷେତ୍ରରେ ଅଧିକ ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କ୍‌ମାନେ ଆଗଭର ହୁଅନ୍ତୁ: କୃଷି ମନ୍ତ୍ରୀ

ଭୁବନେଶ୍ୱର: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ୍‌ମାନେ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବା ନିମନ୍ତେ ଆଗଭର ହୁଅନ୍ତୁ । ଓଡ଼ିଶାର ୮୦ ପ୍ରତିଶତରୁ ଉଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଚାଷକାର୍ଯ୍ୟ ନିମନ୍ତେ ଋଣର ଜରୁରୀ ଆବଶ୍ୟକତା ରହିଛି । ସଂପ୍ରତି ଚାଷକାର୍ଯ୍ୟରେ ନୂତନ ଜ୍ଞାନକୌଶଳ ଓ ପଦ୍ଧତି ଅନୁସରଣ କରାଯାଉଥିବା ବେଳେ ଏଥିନିମନ୍ତେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟର ବ୍ୟାଙ୍କ୍‌ମାନେ ସହଜରେ ଓ ସୁବିଧାରେ ଚାଷୀମାନଙ୍କୁ ଅଧିକରୁ ଅଧିକ ଋଣ ଯୋଗାଇ ଦେଇ ଓଡ଼ିଶାର ପ୍ରଗତିରେ ଭାଗିଦାର ହେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷି ଓଡ଼ିଶା-୨୦୨୦ ଅବସରରେ ପୂର୍ବାହ୍ନରେ ଜନତା ମଇଦାନରେ ଆୟୋଜିତ ବ୍ୟାଙ୍କର୍ସମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇ ମନ୍ତ୍ରୀ ଡଃ ସାହୁ କହିଲେ ସଂପ୍ରତି ଉଚ୍ଚଶିକ୍ଷିତ ଯୁବକଯୁବତୀମାନେ କୃଷିକ୍ଷେତ୍ର ପ୍ରତି ଆଗ୍ରହ ଦେଖାଉଛନ୍ତି ।

ଏପରି କ୍ଷେତ୍ରରେ ସେମାନଙ୍କୁ ସହଜରେ ଓ ସୁବିଧାରେ ଋଣ ଯୋଗାଇ ଦେବା ନିମନ୍ତେ ତତ୍ପରତା ପ୍ରକାଶ ପାଇବା ଉଚିତ୍‌ । ମୋଟ ଘରୋଇ ଉତ୍ପାଦନର ଶତକଡ଼ା ୧୮ ଭାଗ କୃଷି କ୍ଷେତ୍ରରୁ ଆସୁଥିବା ବେଳେ ଏ କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି ହୋଇ ପାରିଲେ କୃଷି ଅଧିକ ଉନ୍ନତ ଓ ଲାଭଜନକ  ହୋଇପାରିବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ସବୁଦାୟ ଋଣର ଶତକଡ଼ା ୧୮ ଭାଗ କୃଷି କ୍ଷେତ୍ରରେ ଦିଆଯିବା କଥା । ମାତ୍ର ବ୍ୟାଙ୍କ୍‌ମାନଙ୍କ ଦ୍ୱାରା ଅନୁରୂପ ପରିମାଣର ଋଣ ଯୋଗାଇ ଦିଆଯାଉ ନାହିଁ ।

ତାମିଲନାଡ଼ୁ , ପଶ୍ଚିମବଙ୍ଗ, କେରଳ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ତୁଳନାରେ ଓଡ଼ିଶାର ବ୍ୟବସାୟିକ ବ୍ୟାଙ୍କ୍‌ମାନଙ୍କ କୃଷି ଋଣର ହାର ବହୁତ କମ୍‌ ବୋଲି ଡଃ ସାହୁ କହିଥିଲେ । ଏହି ପରିପ୍ରେକ୍ଷୀରେ କୃଷି ଅଧିକାରୀମାନେ ନିୟମିତ ବ୍ୟାଙ୍କ୍‌ଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷିଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମନ୍ତ୍ରୀ କହିଥିଲେ ।

ସେହିପରି ଓଡ଼ିଶାର ଜାତୀୟକରଣ ବ୍ୟବସାୟିକ ବ୍ୟାଙ୍କ୍‌ଗୁଡ଼ିକର ୩୦୭୭ଟି ଶାଖା ରହିଥିବା ବେଳେ ଘରୋଇ ବ୍ୟାଙ୍କର ୮୪୯ଟି, ଗ୍ରାମ୍ୟ ବ୍ୟାଙ୍କ୍‌ର ୯୮୭ଟି ଏବଂ ସମବାୟ ବ୍ୟାଙ୍କ୍‌ର ୩୪୦ଟି ଶାଖା ରହିଛି । ଏହି ପରିପ୍ରେକ୍ଷୀରେ ବ୍ୟବସାୟିକ ବ୍ୟାଙ୍କମାନେ କୃଷିଋଣ ଯୋଗାଇବା ଦିଗରେ ଆଗଭର ହେଲେ କୃଷିଋଣ ପ୍ରଦାନ କ୍ଷେତ୍ରରେ ସମସ୍ୟା ଲାଘବ ହୋଇପାରିବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସହିତ ତାଳ ଦେଇ ବ୍ୟାଙ୍କ୍‌ମାନେ କୃଷିଋଣ ଯୋଗାଇ ଦେବାକୁ ମନ୍ତ୍ରୀ କହିଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌.ରଘୁପ୍ରସାଦ କହିଲେ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିଜାତ ଦ୍ରବ୍ୟର ବହୁତ ଚାହିଦା ରହିଥିବାରୁ ଏ ଦିଗରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରାଯିବାର ସୁଯୋଗ ରହିଛି । ବିଭିନ୍ନ ସରକାରୀ ଯୋଜନା ଓ ବିଶେଷକରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ନିମନ୍ତେ ରାଜ୍ୟ ସରକାର ବହୁଳ ପରିମାଣ ସବ୍‌ସିଡି ଅର୍ଥ ପ୍ରଦାନ କରୁଛନ୍ତି । ଏପରି କ୍ଷେତ୍ରରେ ବ୍ୟାଙ୍କ୍‌ଗୁଡ଼ିକ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ଋଣ ପ୍ରଦାନ କଲେ ଚାଷୀମାନେ ସବ୍‌ସିଡିର ଲାଭ ପାଇ ପାରନ୍ତେ ।

ବୈଠକରେ ୟୁକୋ ବ୍ୟାଙ୍କ୍‌ର ଭୁବନେଶ୍ୱର ସର୍କଲ ହେଡ୍‌ର ଜେନେରାଲ ମ୍ୟାନେଜର ଏସ୍‌.କୁମାର ଓଡ଼ିଶାର କୃଷକମାନଙ୍କର ଉନ୍ନତି ନିମନ୍ତେ ବ୍ୟାଙ୍କ୍‌ମାନେ ନିଶ୍ଚିତ ରୂପେ ଆଗେଇ ଆସିବେ ବୋଲି କହିଥିଲେ । ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଜେନେରାଲ ମ୍ୟାନେଜର ସୋନାଲି ଦାଶଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ୍‌. ମୁଥୁକୁମାର, ମତ୍ସ୍ୟ ନିର୍ଦ୍ଦେଶକ ଡଃ ଏନ୍‌. ତିରୁମାଲା ନାୟକ, ପ୍ରାଣୀ ସମ୍ପଦ ବିକାଶ ନିର୍ଦ୍ଦେଶକ ରନିାକର ରାଉତଙ୍କ ସମେତ କୃଷି ବିଭାଗର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟର ୫୦୦ରୁ ଉଦ୍ଧ୍ୱର୍ ବ୍ୟାଙ୍କ୍‌ ଅଧିକାରୀମାନେ ଯୋଗ ଦେଇ କୃଷିଋଣ କ୍ଷେତ୍ରର ବିଭିନ୍ନ ଦିଗ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.