ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସବ ଜୁନିୟର ଜାତୀୟ ରଗବୀ ସେଭେନ ଚାମ୍ପିୟନଶିପର ୧୫ ବର୍ଷରୁ କମ ବାଳକ ବିଭାଗରେ ଓଡିଶା ରନର୍ସଅପ ହୋଇଛି । ଫାଇନାଲରେ ବିହାର ୨୫-୫ରେ ଆୟୋଜକ ଓଡିଶାକୁ ପରାସ୍ତ କରିଥିଲା । ବିହାର ପୂର୍ବ ଭଳି ଏଥର ମଧ୍ୟ ଚାମ୍ପିୟନ ଭଳି ଖେଳିଥିଲା । ଓଡିଶାର ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କରିଛି । ଗତ ସଂସ୍କରଣର ରନର୍ସଅପ ରାଜସ୍ଥାନ ୩୮-୭ରେ ମହାରାଷ୍ଟ୍ରକୁ ହରାଇ ତୃତୀୟ ସ୍ଥାନ ହାସଲ କରିଛି । ମହାରାଷ୍ଟ୍ରର ଅଥବ; ବିଳାସ ଇନ୍ଦୁଲକର ଟୁର୍ଣ୍ଣାମେଂଟ ସର୍ବାଧିକ ୯୧ ପଂଏଟ ସ୍କୋର କରିଛନ୍ତି । ରାଜସ୍ଥାନର ପ୍ରିୟାଂଶୁ ମିଶ୍ର(୭୯) ଓ ଅନୂଜ କୁମାର(୭୧) ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।
ବାଳକ ବିଭାଗରେ ୨୪ ରାଜ୍ୟର ୫୫୦ ଜଣ ଆଥଲେଟ, ୧୦୦ରୁ ଊର୍ଦ୍ଧ୍ୱ ଅଫିସିଆଲ ଓ ୩୦ ଟେକ୍ନିକାଲ ଅଫିସିଆଲ ଯୋଗ ଦେଇଥିଲେ । ୧୫ ବର୍ଷରୁ କମ ବିଭାଗରେ ୬୮ ମ୍ୟାଚ ଖେଳା ଯାଇଥିଲା । ଓଡିଶା ସରକାର, ରଗବୀ ଇଣ୍ଡିଆ ଓ ଓଡିଶା ରଗବୀ ଫୁଟବଲ ଆସୋସିଏଶନ ମିଳିତ ଭାବେ ଏହାକୁ ସଫଳତା ସହକାରେ ଆୟୋଜନ କରିଥିଲେ । ଅସ୍ମିତା ନ୍ୟାଶନାଲ ରଗବୀ ଲିଗ ୩୧ ଜାନୁୟାରୀରୁ ଫେବୃୟାରୀ ୧ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ମହିଳା ବିଭାଗର ସିନିୟର, ଜୁନିୟର ଓ ସବ ଜୁନିୟର ବିଭାଗର ଶ୍ରେଷ୍ଠ ୮ଟି ଟିମ ଏଥିରେ ଅଂଶଗ୍ରହଣ କରିବେ ।