ଭୁବନେଶ୍ୱର : ରଣଜୀ ଟ୍ରଫି ୨୦୨୬-୨୭ ସିଜନ୍ରେ ଓଡ଼ିଶାର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି । ସ୍ଥାନୀୟ କିଟ୍ ଷ୍ଟାଡିୟମ୍ରେ ଝାଡ଼ଖଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି । ଓପନର ସ୍ୱସ୍ତିକ ସାମଲଙ୍କ ୮୦ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ ବଳରେ ଓଡ଼ିଶା ମ୍ୟାଚ୍କୁ ଡ୍ର’ କରିବାରେ ସଫଳ ହୋଇଥିଲେ ସୁଦ୍ଧା ଗ୍ରୁପ୍-ସି ପଏଣ୍ଟ ଟେବୁଲ୍ର ସବୁଠୁ ତଳେ ରହିଛି । ପ୍ରତିକୂଳ ପାଗ ଏବଂ ବାତ୍ୟା ମୁରାସୁର ପ୍ରଭାବ ଯୋଗୁଁ ମ୍ୟାଚ୍ର ଗୋଟିଏ ଦିନରୁ ଅଧିକ ଖେଳ ବାଧାପ୍ରାପ୍ତ ହୋଇଥିଲା । ତୃତୀୟ ଦିନରେ ଝାଡ଼ଖଣ୍ଡ ତା’ର ପ୍ରଥମ ଇନିଂସକୁ ୪୩୩/୮ ରନ୍ରେ ଘୋଷଣା କରିଥିଲା । ଜବାବରେ ଓଡ଼ିଶା ପ୍ରଥମ ଇନିଂସରେ ୫୯ ରନ୍ରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ।
ଓପନର ସ୍ୱସ୍ତିକ ସାମଲ (୮୦ ରନ୍) ଏବଂ ଅନିଲ ପାରିଡ଼ା (୫୭ ରନ୍) ଧୈର୍ୟ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ପରବର୍ତ୍ତୀ ସମୟରେ ରାଜେଶ ଧୂପର (୩୯) ଏବଂ ଲଳିତ ଯାଦବ (୨୫) ଅପରାଜିତ ରହି ଖେଳ ଶେଷ ହେବା ପର୍ୟ୍ୟନ୍ତ ଓଡ଼ିଶାର ସ୍କୋରକୁ ୨୮୦/୭ରେ ପହଞ୍ଚାଇଥିଲେ । ଏହି ଡ୍ର’ ଫଳରେ ଉଭୟ ଦଳକୁ ୧-୧ ପଏଣ୍ଟ ମିଳିଛି । ୪ଟି ମ୍ୟାଚ୍ରୁ ମୋଟ ୨ ପଏଣ୍ଟ ସହ ଓଡ଼ିଶା ନିଜ ଗ୍ରୁପ୍ର ଅନ୍ତିମ (ଅଷ୍ଟମ) ସ୍ଥାନରେ ରହିଛି । ଓଡ଼ିଶା ତାର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୨୦୨୭ ଜାନୁଆରୀ ୧୭ରୁ କଟକଠାରେ ଦିଲ୍ଲୀ ବିପକ୍ଷରେ ଖେଳିବ ।
ସଂକ୍ଷିପ୍ତ ସ୍କୋର: ଝାଡ଼ଖଣ୍ଡ (ପ୍ରଥମ ଇନିଂସ): ୪୩୩/୮ (ଘୋଷିତ), ଓଡ଼ିଶା (ପ୍ରଥମ ଇନିଂସ): ୨୮୦/୭ (ସ୍ୱସ୍ତିକ ସାମଲ ୮୦, ଅନିଲ ପାରିଡ଼ା ୫୭; ପ୍ରତ୍ୟୁଷ ସିଂ ୩/୫୮, ମନୀଷୀ ୩/୭୭), ଫଳାଫଳ: ମ୍ୟାଚ୍ ଡ୍ର’
