ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟରେ ଆମେରିକା ବିପକ୍ଷରେ ବିଜୟ ସହ ଟିମ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛି । ଏବେ ଭାରତ ତାର ପରବର୍ତୀ ମ୍ୟାଚରେ ନାମ୍ବିଆକୁ ଭେଟିବ । ଟିମ ଇଣ୍ଡିଆର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ସମସ୍ୟା ଯୋଗୁ ପ୍ରଥମ ମ୍ୟାଚରେ ଖେଳି ନ ଥିଲେ । ଏବେ ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି ଏବଂ ନାମ୍ବିଆ ବିପକ୍ଷ ମୁକାବିଲା ପୂର୍ବରୁ ଦଳ ସହିତ ଯୋଗ ଦେବେ ବୋଲି ଜଣାପଡିଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସୁନ୍ଦର ଫିଟ ହେବା ସ୍ପଷ୍ଟ କରିଛନ୍ତି ।
ଯଶପ୍ରୀତ ବୁମରାହ ଓ ଅଭିଷେକ ଶର୍ମାଙ୍କ ଫିଟନେସ ଉପରୁ ସେ ପରଦା ଉଠାଇଛନ୍ତି । ଅଭିଷେକ ସାମାନ୍ୟ ଆଘାତ ପାଇଥିଲେ ଏବେ ସେ ସୁସ୍ଥ ଅଛନ୍ତି । ସେହିପରି ବୁମରାହଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା ଏବେ ସବୁ କିଛି ଠିକଠାକ ରହିଛି । ନାମ୍ବିଆ ବିପକ୍ଷରେ ବିଜୟ ହାସଲ କରି ଭାରତ ସପର ଏଇଟ ପ୍ରବେଶକୁ ମଜଭୁତ କରିବା ପାଇଁ ଚାହିଁବ ।