ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା। ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାରରୁ ଅଧିକ ଛାତ୍ରଛାତ୍ରୀ। ସକାଳ ୯ଟାରୁ ପରୀକ୍ଷା, ୮ଟା ୧୫ରେ ଖୋଲିବ ଗେଟ୍। ରାଜ୍ୟର ୩୦୮୨ଟି ସେଣ୍ଟରରେ ହେଉଛି ପରୀକ୍ଷା। ଆଜି ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସବୁ ପରୀକ୍ଷା କେନ୍ଦ୍ରରେ CCTV ବ୍ୟବସ୍ଥା କରାଯାଇଛି।
କଟକ ବୋର୍ଡ ଅଫିସରେ ଅତ୍ୟାଧୁନିକ କମାଣ୍ଡ କଣ୍ଟ୍ରୋଲ ରୁମ୍ ରହିଛି। AI ସମ୍ପନ୍ନ ସିସିଟିଭି କ୍ୟାମେରା ନଜରରେ ରହିଛି ସେଣ୍ଟର। କପି କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କପି ଯୋଗାଇଲେ କିମ୍ବା କିଛି ଅନିୟମିତତା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହଭଳି ଜରୁରୀକାଳୀନ ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯାଇଛି।
ସକାଳ ସାଢେ ୯ଟାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଲାଗି ଅନୁମତି ଦିଆଯିବ। ପୂର୍ବରୁ ୯ଟା ୧୫ ମିନିଟ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା। ଏଥିରେ ଆଉ ୧୫ ମିନିଟ ବୃଦ୍ଧି କରାଯାଇଛି। ତେବେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଲାଗି ଅତିରିକ୍ତ ୫୦ ମିନିଟ ସମୟ ଦିଆଯିବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସହାୟକ ଲେଖାଳି ସେଣ୍ଟର ଯୋଗାଇଦେବେ। ଯଦି ନିଜେ ଚାହିଁବେ ତେବେ ଦଶମ ଶ୍ରେଣୀରୁ ତଳ ଶ୍ରେଣୀର ଛାତ୍ରଙ୍କୁ ସହାୟକ ଲେଖାଳି ଭାବେ ଭିନ୍ନକ୍ଷମ ପରୀକ୍ଷାର୍ଥୀ ଆଣି ପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି।