Latest Odisha News

BREAKING NEWS

ଲୁଗା ବ୍ୟବସାୟୀଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ, ବର୍ତ୍ତିଗଲେ ପରିବାରର ୯ଜଣ

କେନ୍ଦୁଝର: ଲୁଗା ବ୍ୟବସାୟୀଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ। ଆଜି ଭୋର୍ ପ୍ରାୟ ୪ଟାରେ କେନ୍ଦୁଝର ଜିଲ୍ଲା ବଡ଼ବିଲର ସବୁଠୁ ବଡ ଲୁଗା ବ୍ୟବସାୟୀଙ୍କ ଘରେ ଓ ଗୋଦାମରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଘଟଣାରେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ପରିବାରର ୯ ଜଣ ସଦସ୍ୟ। ଲୁଗା ବ୍ୟବସାୟୀ ହେଉଛନ୍ତି ବଡ଼ବିଲର ନାମୀଦାମୀ ଲୁଗା ଦୋକାନ’ ପରିବାର କ୍ଲୋଥ ଷ୍ଟୋର’ ମାଲିକ ରୋହତାଶ ଅଗ୍ରୱାଲ।

ଆଜି ଭୋରୁ ବ୍ୟବସାୟୀଙ୍କ ନିଜ ବାସଭବନ(ବଡ଼ବିଲ ପୌରାଞ୍ଚଳ, ୬ ନମ୍ୱର୍ ୱାର୍ଡ, ମୋନୀ ଟାୱାର ସମ୍ମୁଖ)ରୁ ପ୍ରବଳ ଧୂଆଁ ବାହାରୁଥିବା ଜଣେ ପଥଚାରୀ ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ବ୍ୟବସାୟୀଙ୍କ ଘର କବାଟ ବାଡେଇ ପରିବାର ଲୋକଙ୍କୁ ନିଆଁ ଲାଗିବା ନେଇ ଖବର ଦେବାପରେ ଦ୍ଵିତୀୟ ମହଲରେ ରହୁଥିବା ପରିବାରର ଜଣେ ୩ ବର୍ଷର ଝିଅ, ଜଣେ ଦେଢ଼ ବର୍ଷର ଝିଅ ସହିତ ପରିବାରର ସମୁଦାୟ ୯ ଜଣ ପ୍ରାଣ ବିକଳରେ ସୁରକ୍ଷିତ ରାସ୍ତା ଦେଇ ପଦାକୁ ବାହାରି ଆସିଥିଲେ।

ସଙ୍ଗେ ସଙ୍ଗେ ବଡ଼ବିଲ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେହେଁ ନିଆଁ ତଳ ମହଲା ଓ ପ୍ରଥମ ମହଲାରେ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗର ଗୋଟିଏ ଦମକଳ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇନଥିବା ବେଳେ ନିକଟସ୍ଥ ବିଲେଇପଦା ଅଗ୍ନିଶମ ବିଭାଗ ଓ ଘରୋଇ ଜିନ୍ଦଲ କମ୍ପାନୀର ସମୁଦାୟ ୪ ଗୋଟି ଦମକଳ ଗାଡ଼ି ଅକ୍ଲାନ୍ତ ପରିଶ୍ରମ କରି ଦୀର୍ଘ ୪ ଘଣ୍ଟା ପରେ ନିଆଁ କୁ ଆୟତ କରିଥିଲେ।

Leave A Reply

Your email address will not be published.