ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ କହିଛନ୍ତି ଯେ, ଆମେରିକା ସୁପ୍ରିମକୋର୍ଟ ତାଙ୍କର ପୂର୍ବ ଟାରିଫ୍ କୁ ପ୍ରତ୍ୟାହାର କରିବା ସତ୍ତ୍ୱେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଟାରିଫ୍ କୁ ଅବୈଧ ଘୋଷଣା କରାଯିବା ସତ୍ତ୍ୱେ ଭାରତ ୧୮ ପ୍ରତିଶତ ଟାରିଫ୍ ପ୍ରଦାନ ଜାରି ରଖିବ ।
ପ୍ରକୃତରେ, ଭାରତ ସହିତ ଚୁକ୍ତିନାମା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ପ୍ରଭାବ ବିଷୟରେ ପଚରାଯିବାରୁ, ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ, “କିଛି ପରିବର୍ତ୍ତନ ହେବ ନାହିଁ । ସେମାନଙ୍କୁ ଟାରିଫ୍ ଦେବାକୁ ପଡିବ, ଏବଂ ଆମକୁ ଦେବାକୁ ନଡିବନି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମହାନ ବ୍ୟକ୍ତି, କିନ୍ତୁ ବାଣିଜ୍ୟ ଚୁକ୍ତିନାମାରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଭାରତ ସହିତ ମୋର ସମ୍ପର୍କ ଉତ୍କୃଷ୍ଟ, ଏବଂ ଆମେ ଭାରତ ସହିତ ବ୍ୟବସାୟ କରୁଛୁ । ଭାରତ ରୁଷ ସହିତ ସମ୍ପର୍କ ଛିନ୍ନ କରିଛି । ଭାରତ ରୁଷରୁ ତେଲ ଆମଦାନୀ କରୁଥିଲା, ଏବଂ ମୋ ଅନୁରୋଧରେ, ସେମାନେ ସେମାନଙ୍କ ସହିତ ସମ୍ପର୍କକୁ ଯଥେଷ୍ଟ ହ୍ରାସ କରିଛନ୍ତି କାରଣ ଆମେ ଏକ ଭୟଙ୍କର ଯୁଦ୍ଧର ଅନ୍ତ କରିବାକୁ ଚାହୁଁଛୁ ଯେଉଁଥିରେ ପ୍ରତି ମାସରେ ୨୫ ହଜାର ଲୋକ ମରୁଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମୋର ସମ୍ପର୍କ ଉତ୍କୃଷ୍ଟ । ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ମଧ୍ୟ ରୋକିଛି । ମୁଁ ମୁଖ୍ୟତଃ ଟାରିଫ ଲାଗୁ କରି ଏହା କରିଛି । ମୁଁ କହିଲି, ‘ତୁମେ ଯୁଦ୍ଧ କରିବାକୁ ଚାହୁଁଛ, ଠିକ୍ ଅଛି, କିନ୍ତୁ ତୁମେ ଆମେରିକା ସହିତ ବାଣିଜ୍ୟ କରିବ ନାହିଁ, ଏବଂ ତୁମକୁ ପ୍ରତ୍ୟେକ ଦେଶକୁ ୨୦୦ ପ୍ରତିଶତ ଟାରିଫ ଦେବାକୁ ପଡିବ ।’ ସେ ଫୋନ୍ କରି କହିଲେ, ‘ଆମେ ଶାନ୍ତି ସ୍ଥାପନ କରିଛୁ।’
ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିରେ ପହଞ୍ଚିଥିଲେ ଯାହା ଅଧୀନରେ ୱାଶିଂଟନ୍ ଟାରିଫକୁ ୫୦ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଥିଲା । ଅନ୍ୟପକ୍ଷରେ, ନୂଆଦିଲ୍ଲୀ ଆମେରିକୀୟ ସାମଗ୍ରୀ ଉପରେ ଶୂନ୍ୟ ଟାରିଫ୍ ଲାଗୁ କରିବାକୁ ରାଜି ହୋଇଥିଲା ।