ଅନୁଗୁଳ: ଅନୁଗୁଳ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା ଇଲାକା ମରାତିରା ଛକ ନିକଟରେ ଭୟଙ୍କର ଦୁର୍ଘଟଣା । ଟ୍ରକ ପଛରେ ଏକ କାର୍ ବାଡେଇ ହେବା କାରଣରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ତାଳଚେରର ଅମିତ କୁମାର ସାହୁ ଓ ଭୀଷ୍ମ ଦାସ ।
ଶୁକ୍ରବାର ରାତିରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଜରପଡାରୁ ତାଳଚେର ଆସୁଥିବାବେଳେ ଦୁର୍ଘଟଣା ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।
ସେପଟେ, ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଦୁର୍ଘଟଣା ଘଟିଛି । ବାଇକକୁ ପଛପଟୁ ଧାନ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବାଲିଆପାଳ ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବସ୍ତା ଡାକ୍ତରଖାନା ପଠାଇଛି । ଧାନ ବୋଝେଇ ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ ।