ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଲାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏବେ କେବଳ ଫାଇନ୍ ଦେଲେ ନିସ୍ତାର ମିଳିବ ନାହିଁ । କେନ୍ଦ୍ର ସରକାର ଏବେ ସଡ଼କ ସୁରକ୍ଷାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଟ୍ରାଫିକ ନିୟମ ଭାଙ୍ଗିଲେ ଏବେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରୁ ପଏଣ୍ଟ କଟିବ ଏବଂ ବାରମ୍ବାର ନିୟମ ଭାଙ୍ଗିଲେ ଲାଇସେନ୍ସ ସବୁଦିନ ପାଇଁ ରଦ୍ଦ ମଧ୍ୟ ହୋଇଯିବ । କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଏହି ବଡ଼ ଘୋଷଣା ପରେ ଏବେ ସାରା ଦେଶରେ ଚର୍ଚ୍ଚା । ଆସନ୍ତୁ ଦେଖିବା କ’ଣ ରହିଛି ସରକାରଙ୍କ ଏହି ନୂଆ ‘ଗ୍ରେଡେଡ୍ ପଏଣ୍ଟ ସିଷ୍ଟମ’।
ଦେଶରେ ପ୍ରତିବର୍ଷ ପ୍ରାୟ ୧.୮ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହି ପରିସଂଖ୍ୟାନକୁ ଦେଖି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, କେବଳ ଜରିମାନା ବଢ଼ାଇବା ଯଥେଷ୍ଟ ନୁହେଁ, ବରଂ ନିୟମକୁ କଠୋର ଭାବେ ଲାଗୁ କରିବା ଜରୁରୀ। ସେଥିପାଇଁ ଏବେ ଆସୁଛି ‘ଗ୍ରେଡ୍ ଆଧାରିତ ଲାଇସେନ୍ସ ପ୍ରଣାଳୀ’।
କେମିତି କାମ କରିବ ଏହି ନୂଆ ନିୟମ ?
ଯଦି ଆପଣ ଓଭର ସ୍ପିଡିଂ କରୁଛନ୍ତି, ଭୁଲ ଦିଗରେ ଗାଡ଼ି ଚଲାଉଛନ୍ତି କିମ୍ବା ମଦ୍ୟପାନ କରି ଡ୍ରାଇଭିଂ କରୁଛନ୍ତି, ତେବେ ଆପଣଙ୍କ ଲାଇସେନ୍ସରୁ ନିର୍ଦ୍ଧାରିତ ପଏଣ୍ଟ କଟି ଯିବ । ଯଦି ସବୁ ପଏଣ୍ଟ ଶେଷ ହୋଇଯାଏ, ତେବେ ୬ ମାସ ପାଇଁ ଲାଇସେନ୍ସ ସସପେଣ୍ଡ ହେବ । ବାରମ୍ବାର ସମାନ ଭୁଲ କଲେ ଲାଇସେନ୍ସ ସବୁଦିନ ପାଇଁ ବାତିଲ ହୋଇଯିବ।
ଗଡକରୀଙ୍କ ସୂଚନା ଅନୁସାରେ, ବାର୍ଷିକ ୫ ଲକ୍ଷ ଦୁର୍ଘଟଣା ମଧ୍ୟରୁ ୭୨ ପ୍ରତିଶତ ମୃତକ ହେଉଛନ୍ତି ୧୮ ରୁ ୪୫ ବର୍ଷ ବୟସର ଯୁବପିଢ଼ି । ହେଲମେଟ ନ ପିନ୍ଧିବାରୁ ୫୪ ହଜାରରୁ ଅଧିକ ମୃତ୍ୟୁ ଘଟୁଛି । ସିଟ୍ ବେଲ୍ଟ ନ ବାନ୍ଧିବାରୁ ୧୪ ହଜାରରୁ ଅଧିକ ମୃତ। କେବଳ ଅଧିକ ବେଗ ଯୋଗୁଁ ୧ ଲକ୍ଷ କୋଡ଼ିଏ ହଜାର ଲୋକ ଜୀବନ ହରାଇଛନ୍ତି।
ତେବେ ସରକାର ବଡ଼ ଆଶ୍ୱସ୍ତି ମଧ୍ୟ ଦେଇଛନ୍ତି। ପିଏମ ରିଲିଫ ଯୋଜନା ଅଧୀନରେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ। ଦୁର୍ଘଟଣାର ୭ ଦିନ ପର୍ଯ୍ୟନ୍ତ ଏହି ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହେବ ।
ଏବେ ସମୟ ଆସିଛି ନିଜେ ସୁଧୁରିବା ଏବଂ ଅନ୍ୟର ଜୀବନ ବଞ୍ଚାଇବାର । ଟ୍ରାଫିକ ନିୟମ ପାଳନ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ । ମନେ ରଖନ୍ତୁ, ଆପଣଙ୍କ ସାମାନ୍ୟ ଭୁଲ ଆପଣଙ୍କ ଲାଇସେନ୍ସ ସହ ଆପଣଙ୍କ ଜୀବନ ମଧ୍ୟ ନେଇପାରେ ।