ଭୁବନେଶ୍ୱର: ଆସନ୍ତା ଦଶହରା ସମୟରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୁରାକ ଯୋଗାଇବାକୁ ଆଶୁଛି ନୂଆ ଓଡ଼ିଆ ସିନେମା “ମୋନଷ୍ଟର୍: ଦ ଅଲ୍ଟିମେଟ୍’ । ଏହି ସିନେମାର ବିଶେଷତା ହେଉଛି³ ଏଥିରେ ଅଧିକରୁ ଅଧିକ ଆଧୁନିକ ବୈଷୟିକ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ଦେଖିବେ ରୋବୋଟିକ୍ ଆର୍ମ ମେସିନର ବ୍ୟବହାର । ଯାହା ଓଲିଉଡ୍ ରେ ସମ୍ପୂର୍ଣ୍ଣ ନୂଆ ଅଟେ ।
ସିନେମା ସହ ଓଲିଉଡର ଭବିଷ୍ୟତ ଯୁବ ପ୍ରତିଭା ଆଦିତ୍ୟ ବଡ଼ ଧରଣର ସଜବାଜ ସହ ଧମାକା କରିବାକୁ ପୁଣି ଏକ ନୂଆ ସିନେମା ସହ ଫେରୁଛନ୍ତି । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅନୁଭବୀ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ । ପ୍ରଯୋଜନା ଦେବରାଜ ବିଧାର କରିଥିଲା ବେଳେ କାହାଣୀ ଓ ଚିତ୍ରନାଟ୍ୟ ଆଦିତ୍ୟ ନିଜେ ଲେଖିଛନ୍ତି । ସିନେମାର ସଂଳାପ ଅମିତ କୁମାର ଦାଶ ଓ ପ୍ରଣବ ପ୍ରସନ୍ନ ରଥ ଲେଖିଥିଲା ବେଳେ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ ଓ ଆଶିଷ ପ୍ରଧାନ । ସିନେମାଟୋଗ୍ରାଫି ଦାୟିତ୍ୱ ସମ୍ଭାଳିଛନ୍ତି ଦୀପକ କୁମାର ।
ଗୋପୀନାଥ ମୋସନ୍ ପିକ୍ଚର୍ସ ନିବେଦିତ ଏହି ଆକ୍ସନ୍ ଫିଲ୍ମଟି ଦର୍ଶକଙ୍କୁ ଚମତ୍କାରୀ ଅନୁଭବ ଦେବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି । ଓଡ଼ିଆ ସିନେମା “ଆଇ ଲଭ୍ ୟୁ–୨’ ପରେ ସାମୟିକ ବିରତି ସହ ଅଭିନେତା ଆଦିତ୍ୟ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଆକ୍ସନ୍, ଥ୍ରଲର୍ “ମୋନଷ୍ଟର୍: ଦ ଅଲ୍ଟିମେଟ୍’ ।
ଆଦିତ୍ୟଙ୍କ ନାୟିକା ଭୂମିକାରେ ଦିବ୍ୟଜ୍ୟୋତି ତ୍ରିପାଠୀ ରହିଛନ୍ତି । ବରିଷ୍ଠ ତଥା ଅଭିଜ୍ଞତାସମ୍ପନ୍ନ ଅଭିନେତ୍ରୀ ମହାଶ୍ୱେତା ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ଇଣ୍ଡଷ୍ଟ୍ରିର ଅନ୍ୟାନ୍ୟ ଜଣାଶୁଣା ଓ ପରିଚିତ କଳାକାରମାନେ ବି ବିଭିନ୍ନ ଚରିତ୍ରରେ ରହିଛନ୍ତି । ଫିଲ୍ମରେ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ରହିଛି ।