Latest Odisha News

BREAKING NEWS

River front Project:୨୧୦ କୋଟି ଟଙ୍କା ବ୍ୟୟରେ ହେବ ମହାନଦୀ ତଟ ସୌନ୍ଦର୍ଯ୍ୟକରଣ; କାମ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର:ଆଜି ଲୋକସେବା ଭବନ ଠାରେ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୧୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ କୂଳର ୪୨୬ ଏକର ଅଞ୍ଚଳକୁ ଏହି ପ୍ରକଳ୍ପ ଜରିଆରେ ବିକଶିତ କରାଯିବ।

ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ୨୮୪ ଏକର ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯିବ ଏବଂ ଅବଶିଷ୍ଟ ୧୪୨ ଏକର ଅଞ୍ଚଳକୁ ପର୍ଯ୍ୟଟନ ଉପଯୋଗୀ କରାଯିବା ସହିତ ବିଭିନ୍ନ ଯାନିଯାତ୍ରା ପାଇଁ ମଧ୍ୟ ଉପଯୋଗୀ କରାଯିବ। ଏଥିରେ ଓଡ଼ିଶା ହାଟ, ହେରିଟେଜ ଭିଲେଜ, ପିକନିକ୍ ଏରିଆ, ଇଣ୍ଟରପ୍ରିଟେସନ ସେଣ୍ଟର, ଫୁଡ କୋର୍ଟ, ଲନ, ବଗିଚା, ମହାନଦୀ କୂଳ ସ୍ଥିତ ବିଭିନ୍ନ ୱାଟରବଡିର ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ରହିଛି। ଏସବୁ ନିର୍ମାଣ କାର୍ଯ୍ୟରେ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡଲାଇନ ପାଳନ କରାଯିବ।

ଏହି ପ୍ରକଳ୍ପକୁ ପର୍ଯ୍ୟଟକମାନଙ୍କ ପାଇଁ ଏକ ଜାତୀୟ ସ୍ତରର ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ଗୁଜରାଟର ସାବରମତୀ ଡିଜାଇନକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ସମସ୍ତ ପ୍ରାରମ୍ଭିକ ପ୍ରକ୍ରିୟା ଯଥାଶୀଘ୍ର ଶେଷ କରି ପ୍ରଥମ ପର୍ଯ୍ୟାୟ କାମ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାମ ବେଳେ ଧବଳେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ National Law University ନିକଟସ୍ଥ ପଠାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଧିକ ଆକର୍ଷଣୀୟ କରିବା ପାଇଁ ମହାନଦୀ ମଧ୍ୟରେ କ୍ରୁଜ ଚଳାଚଳ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତ ଦେଇଥଲେ। ଏ ସବୁ ସୌନ୍ଦର୍ଯ୍ୟକରଣ କାମ ପାଇଁ ଆବଶ୍ୟକ ହେଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

Leave A Reply

Your email address will not be published.