ଭୁବନେଶ୍ୱର: ଆଜିଠୁ ବଦଳିବ ପାଗର ମିଜାଜ। ଆସନ୍ତା ୫ ଦିନରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବା ନେଇ ସମ୍ଭାବନା। ସେପଟେ ଝଡବର୍ଷା ନେଇ ୨ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ବର୍ଷା ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିପାରେ । ତେବେ ଆସନ୍ତା ଦୁଇ ଦିନ ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଆଜି ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ତାଣ୍ଡବ ରଚିପାରେ କାଳବୈଶାଖୀ । ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଜାରି ହୋଇଛି । ଦୁଇ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି। ଆସନ୍ତାକାଲି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଦୁଇ ଜିଲ୍ଲାରେ ବର୍ଷା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ତେବେ କାଲି ଏହି ଦୁଇ ଜିଲ୍ଲାକୁ ମିଶାଇ ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୧୪ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ତାତି ବଢ଼ିପାରେ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ଅଛି । ତେବେ ରବିବାର ଓ ସୋମବାର ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶନିବାର ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ୍, ବରଗଡ଼ରେ ୩୪.୬, ଟିଟିଲାଗଡ଼ରେ ୩୪ଡିଗ୍ରୀ, ବଲାଙ୍ଗୀରରେ ୩୩.୮, ନୟାଗଡ, ଭବାନୀପାଟଣା, ଜଗତ୍ସିଂହପୁର ଓ ଖୋର୍ଦ୍ଧାରେ ୩୩.୫, ସୋନପୁରରେ ୩୩.୨ ଡିଗ୍ରୀ ରେକର୍ଡ ହୋଇଛି ।