ଜେରୁସେଲମ: ବିଶ୍ୱ ମାନଚିତ୍ରରେ ଏକ କ୍ଷୁଦ୍ର ବିନ୍ଦୁ ସଦୃଶ ଦେଖାଯାଉଥିବା ଦେଶ ‘ଇସ୍ରାଏଲ୍’ । ଯାହାର କ୍ଷେତ୍ରଫଳ ହୁଏତ ଛୋଟ ହୋଇପାରେ, କିନ୍ତୁ ଏହାର ଇତିହାସ ହଜାର ହଜାର ବର୍ଷର ସଂଘର୍ଷ, ରକ୍ତପାତ ଏବଂ ପୁନର୍ଜନ୍ମର ଏକ ଜ୍ୱଳନ୍ତ ଉଦାହରଣ। କେମିତି ହଜାର ହଜାର ବର୍ଷ ଧରି ନିଜ ଭିଟାମାଟିରୁ ଦୂରେଇ ରହିବା ପରେ ପୁଣି ଥରେ ଏହି ଜାତି ନିଜ ମାତୃଭୂମିକୁ ଫେରିଲା ? ଆସନ୍ତୁ ଜାଣିବା ଇସ୍ରାଏଲ୍ର ସମ୍ପୂର୍ଣ୍ଣ ଇତିହାସ।
ୟିହୁଦୀ କିଏ ଏବଂ କେଉଁଠୁ ଆସିଲେ?
ଇସ୍ରାଏଲ୍ର ମୂଳ ରହିଛି ପ୍ରାୟ ୩୫୦୦ ବର୍ଷ ପୁରୁଣା କାନାନାଇଟ୍ ଅଞ୍ଚଳରେ। ବାଇବେଲ୍ ଅନୁସାରେ, ଏହି ଜାତିର ପୂର୍ବଜ ଆବ୍ରାହମ ମେସୋପୋଟାମିଆରୁ ଆସି ଏଠାରେ ବସବାସ କରିଥିଲେ। ପରେ ସଲ୍ , ଡେଭିଡ୍ ଏବଂ ସୋଲୋମନଙ୍କ ଭଳି ପ୍ରତାପୀ ରାଜାମାନେ ଯେରୁଜେଲାମ୍ରେ ପ୍ରଥମ ୟିହୁଦୀ ମନ୍ଦିର ନିର୍ମାଣ କରି ଏହାକୁ ନିଜ ଧାର୍ମିକ ଓ ରାଜନୈତିକ କେନ୍ଦ୍ର କରିଥିଲେ।
ସମୟ ଚକ୍ରରେ ଏହି ପବିତ୍ର ଭୂମି ଉପରେ ରୋମାନ୍, ବାଇଜାଣ୍ଟାଇନ୍, ମୁସଲିମ୍ ଏବଂ ପରେ ଅଟୋମ୍ୟାନ୍ ସାମ୍ରାଜ୍ୟ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ଏହି ସମୟ ମଧ୍ୟରେ ୟିହୁଦୀମାନେ ନିଜ ମାତୃଭୂମିରୁ ବିତାଡ଼ିତ ହୋଇ ସାରା ବିଶ୍ୱରେ ବିଛେଇ ହୋଇଗଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କ ନାଜି ବାହିନୀ ପ୍ରାୟ ୬୦ ଲକ୍ଷ ୟିହୁଦୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଭୟଙ୍କର ନରସଂହାର ବା ‘ହୋଲୋକଷ୍ଟ’ ପରେ, ନିଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ୟିହୁଦୀ ରାଷ୍ଟ୍ରର ଦାବି ସାରା ବିଶ୍ୱରେ ତେଜିଥିଲା।
୧୪ ମଇ ୧୯୪୮ରେ ଡେଭିଡ୍ ବେନ୍-ଗୁରିଅନ୍ ସ୍ୱତନ୍ତ୍ର ଇସ୍ରାଏଲ୍ ରାଷ୍ଟ୍ରର ଘୋଷଣା କଲେ। ଜନ୍ମ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପଡ଼ୋଶୀ ଆରବ ଦେଶମାନେ ଇସ୍ରାଏଲ୍ ଉପରେ ଆକ୍ରମଣ କଲେ। ମାତ୍ର ଅଳ୍ପ ସମ୍ବଳରେ ମଧ୍ୟ ଇସ୍ରାଏଲ୍ ଏହି ଯୁଦ୍ଧ ଜିତି ସାରା ବିଶ୍ୱକୁ ଚକିତ କରିଦେଇଥିଲା।
୧୯୬୭ର ‘ଛଅ ଦିନିଆ ଯୁଦ୍ଧ’ ହେଉ କିମ୍ବା ୧୯୭୩ର ୟୋମ୍ କିପୁର ଯୁଦ୍ଧ, ଇସ୍ରାଏଲ୍ ପ୍ରତି ପାଦରେ ନିଜର ଅସ୍ତିତ୍ୱ ପାଇଁ ଲଢ଼ିଛି। ପରବର୍ତ୍ତୀ ସମୟରେ ୧୯୭୯ରେ ମିଶର ସହ ଶାନ୍ତି ଚୁକ୍ତି ଏବଂ ୧୯୯୩ରେ ଓସଲୋ ସମ୍ମିଳନୀ ଜରିଆରେ ବିବାଦ ସମାଧାନ ପାଇଁ ଚେଷ୍ଟା କରାଯାଇଛି, ଯଦିଓ ଆଜି ବି ଜମି ଏବଂ ପରିଚୟକୁ ନେଇ ସଂଘର୍ଷ ଜାରି ରହିଛି।
ଆଜି ଇସ୍ରାଏଲ୍ କେବଳ ଏକ ଦେଶ ନୁହେଁ, ବରଂ ଜଣେ ସାଧାରଣ ୟିହୁଦୀର ଜିଦ୍ ଏବଂ ଆତ୍ମସମ୍ମାନର ପ୍ରତୀକ। ଶତାବ୍ଦୀ ଶତାବ୍ଦୀର ଯନ୍ତ୍ରଣା ଏବଂ ନିର୍ଯାତନା ପରେ ଏହି ଜାତି ପ୍ରମାଣ କରିଛି ଯେ, ଯଦି ସଂକଳ୍ପ ଦୃଢ଼ ଥାଏ, ତେବେ ପାଉଁଶ ମଧ୍ୟରୁ ବି ଏକ ଶକ୍ତିଶାଳୀ ରାଷ୍ଟ୍ରର ଜନ୍ମ ହୋଇପାରେ।