Artistic Gymnastics: କଳିଙ୍ଗ ଷ୍ଟାଡିୟମରେ ଏପ୍ରିଲ ୨୫ରୁ ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ ;୬୦୦ରୁ ଅଧିକ ନେବେ ଭାଗ…
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମଠାରେ ଆସନ୍ତା ଏପ୍ରିଲ ୨୫ରୁ ମେ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ । ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ (OGA) ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ, ଭାରତୀୟ ଜିମ୍ନାଷ୍ଟିକ୍ ଫେଡେରେସନ୍ (GFI) ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଛି।
ଏହି ପ୍ରତିଯୋଗିତାରେ ୨୫ଟି ରାଜ୍ୟ, ୩ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସର୍ଭିସ୍ ବୋର୍ଡ଼ର ୬୦୦ରୁ ଅଧିକ ଜିମ୍ନାଷ୍ଟ ଭାଗ ନେବେ । ପୁରୁଷ (MAG) ଏବଂ ମହିଳା (WAG) ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ବର୍ଗରେ ଟିମ୍ ଚାମ୍ପିଅନସିପ୍, ବ୍ୟକ୍ତିଗତ ଅଲ-ଆରାଉଣ୍ଡ ଏବଂ ଆପାରାଟସ୍ ଫାଇନାଲ୍ ଅନୁଷ୍ଠିତ ହେବ। ପୁରୁଷ ବର୍ଗ ଫାଇନାଲ୍ ୨୮ ଏପ୍ରିଲ ଓ ମହିଳା ବର୍ଗ ଫାଇନାଲ୍ ଓ ଉଦ୍ଯାପନୀ ୩ ମେରେ ଅନୁଷ୍ଠିତ ହେବ ।
ତାରକା ଖେଳାଳି ଭାବେ ପ୍ରଣତି ନାୟକ, ତପନ ମହାନ୍ତି, ଯୋଗେଶ୍ୱର ସିଂ, ଆଶିଷ କୁମାରଙ୍କ ଭଳି ଦେଶର ନାମୀଦାମୀ ଜିମ୍ନାଷ୍ଟମାନେ ଏଥିରେ ପ୍ରତିଭା ପ୍ରଦର୍ଶନ କରିବେ ।
ଏହି ଜାତୀୟ ଚାମ୍ପିଅନସିପ୍ ଆଧାରରେ ଆଗାମୀ ଏସୀୟ କ୍ରୀଡ଼ା (Asian Games), କମନୱେଲଥ ଗେମ୍ସ ଏବଂ ଏସୀୟ ଚାମ୍ପିଅନସିପ୍ ପାଇଁ ଖେଳାଳି ଚୟନ କରାଯିବ।
ସୂଚନାଥାଉକି, ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଏହି ଇଭେଣ୍ଟ ପାଇଁ ପ୍ରାୟ ୩୦୦ ଅଧିକାରୀ ଓ ବିଚାରପତି ନିୟୋଜିତ ହୋଇଛନ୍ତି।