Sudhir Patra Murder Case: ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟା ମାମଲା: ଖୋଲିବ ଗୁମର, କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ
ବ୍ରହ୍ମପୁର: ସହରର ବହୁଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ନୃଶଂସ ହତ୍ୟାକାଣ୍ଡ ମାମଲାରେ ପୋଲିସ ନିଜର ତଦନ୍ତକୁ ଜୋରଦାର କରିଛି। ଏହି ହାଇପ୍ରୋଫାଇଲ୍ ମାମଲାର ଚେର କେତେ ଦୂର ଲମ୍ବିଛି ଏବଂ ଏହା ପଛରେ ଥିବା ବୃହତ୍ତର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ବ୍ରହ୍ମପୁର ପୋଲିସ ଏବେ ‘କ୍ରାଇମ୍ ସିନ୍ ରିକ୍ରିଏସନ୍’ କରିବାକୁ ଯୋଜନା କରୁଛି। ଏହି ପ୍ରକ୍ରିୟା ମାଧ୍ୟମରେ ଅପରାଧୀମାନେ କିପରି ଅପହରଣ କଲେ, କେଉଁଠି ରଖିଲେ ଏବଂ କିପରି ହତ୍ୟା କରି ମୃତଦେହ ଫିଙ୍ଗିଲେ, ତାର ଟିକିନିଖି ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ପୋଲିସ ଏହି ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି। ରିମାଣ୍ଡ ଅବଧି ମଧ୍ୟରେ ପୋଲିସ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ। ଗୋପାଳପୁର ଥାନା ଅନ୍ତର୍ଗତ ଦୁରା ଗାଁ ନିକଟରୁ କିପରି ବନ୍ଧୁକ ମୁନରେ ସୁଧୀରଙ୍କୁ ଅପହରଣ କରାଗଲା ଏବଂ ପରେ ସୋରଡ଼ା ଥାନା ଅଞ୍ଚଳର ରାଶିପଙ୍ଖାଳ ଜଙ୍ଗଲରେ କିପରି ତାଙ୍କ ମୃତଦେହକୁ ଫିଙ୍ଗାଗଲା, ସେସବୁର ନକ୍ସା ପ୍ରସ୍ତୁତ କରିବ ପୋଲିସ। ଏହାଦ୍ୱାରା ତଦନ୍ତରେ ରହିଥିବା ଫାଙ୍କା ସ୍ଥାନ ଗୁଡ଼ିକ ପୂରଣ ହୋଇପାରିବ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କରପଲ୍ଲୀ ଗାଁର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଏପ୍ରିଲ ୧୫ ତାରିଖରେ ଭଲିବଲ୍ ଖେଳି ଫେରୁଥିବା ବେଳେ ଅପହରଣ କରାଯାଇଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲେ ନିଜ ଘରର ଲୋକ, ସୁଧୀରଙ୍କ ଝିଆରି ନିବେଦିତା ପାତ୍ର, ତାଙ୍କ ପ୍ରେମିକ କାଳୁ ପ୍ରଧାନ ଏବଂ ପୁତୁରା ତୁଷାର ପାତ୍ର। ଜମିବାଡ଼ି ଓ ଅର୍ଥ ଲୋଭରେ ସେମାନେ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲେ। ସୁଧୀରଙ୍କୁ ଅପହରଣ କରି ପରିବାର ଲୋକଙ୍କ ଠାରୁ ୨ କୋଟି ଟଙ୍କାର ମୁକ୍ତିପଣ ମାଗିବା ଯୋଜନା ଥିଲା। ଏଥିପାଇଁ ବିହାରରୁ ପେସାଦାର ସୁପାରୀ କିଲର୍ ସୂର୍ଯ୍ୟ ପ୍ରତାପ ସିଂହ ଓ ତାଙ୍କ ଗ୍ୟାଙ୍ଗକୁ ୧ କୋଟି ଟଙ୍କା ଦେବାର ଡିଲ୍ ହୋଇଥିଲା। ବାକି ୧ କୋଟି ନିଜେ ଝିଆରି, ପୁତୁରା ଓ ପ୍ରେମିକ ବାଣ୍ଟିନେଇଥାନ୍ତେ। ସାତ ଦିନ ପରେ ଜଙ୍ଗଲରୁ ତାଙ୍କର ଗଳିତ ଶବ ମିଳିଥିଲା।
ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ବିହାରର ସୁଟର୍ ଓ ପରିବାର ସଦସ୍ୟଙ୍କୁ ମିଶାଇ ମୋଟ ୯ ଜଣଙ୍କୁ ଗିରଫ କରିଛି। ତେବେ ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ, ଏହି ହତ୍ୟାକାଣ୍ଡ ପଛରେ ଆହୁରି କିଛି ବାହାର ବ୍ୟକ୍ତି କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ହାତ ଥାଇପାରେ, ଯେଉଁମାନେ ସୁଧୀରଙ୍କ ଆର୍ଥିକ କାରବାର ବିଷୟରେ ପୂର୍ବରୁ ଅବଗତ ଥିଲେ। ଏତେ ବଡ଼ ଅପରାଧ କେବଳ ଏହି କିଛି ଲୋକଙ୍କ ଦ୍ୱାରା ସମ୍ଭବ ହୋଇନପାରେ ବୋଲି ପୋଲିସ ଅନୁମାନ କରୁଛି।
ଅନ୍ୟପଟେ, ସୁଧୀରଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବାରେ ପୋଲିସ କାହିଁକି ବିଫଳ ହେଲା, ତାହାକୁ ନେଇ ମଧ୍ୟ ସାଧାରଣରେ ଓ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ରାଇମ୍ ସିନ୍ ରିକ୍ରିଏସନ୍ ଏବଂ ରିମାଣ୍ଡରେ ଅଧିକ ପଚରାଉଚରା ପରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଆହୁରି ଅନେକ ଅକୁହା ସତ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।