Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନେଉଛି ବାସ୍ତବ ରୂପ: ପାରାଦୀପ ଓ ବଲାଙ୍ଗୀରରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ଏବଂ ଭିତ୍ତିଭୂମି ବିକାଶ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପାରାଦୀପ ଏବଂ ବଲାଙ୍ଗୀରରେ ଦୁଇଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏହି ପ୍ରକ୍ରିୟାକୁ ଯଥାଶୀଘ୍ର ଆଗେଇ ନେବା ପାଇଁ ରାଜ୍ୟ ସରକାର ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (BPUT) ର କୁଳପତିଙ୍କୁ ଔପଚାରିକ ଭାବେ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିପିୟୁଟି କୁଳପତିଙ୍କୁ ଏ ନେଇ ଏକ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପନ ବେଳେ ଏହି ଦୁଇ ନୂଆ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ଏହି ଦୁଇ କଲେଜରେ ୪ଟି ଲେଖାଏଁ ଅଣ୍ଡର-ଗ୍ରାଜୁଏଟ୍ ବା ସ୍ନାତକ ଇଞ୍ଜିନିୟରିଂ ପାଠ୍ୟକ୍ରମ ଖୋଲାଯିବାର ପ୍ରସ୍ତାବ ରହିଛି। ପ୍ରତ୍ୟେକ ବିଭାଗର ପାଠ୍ୟକ୍ରମ ଅବଧି ୪ ବର୍ଷ ରହିବ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (AICTE) ର ନିୟମ ଓ ଗାଇଡଲାଇନ୍ ଅନୁଯାୟୀ, ପ୍ରତ୍ୟେକ ବ୍ରାଞ୍ଚରେ ବାର୍ଷିକ ୬୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ।

ଏହି ଦୁଇ ବୈଷୟିକ ଅନୁଷ୍ଠାନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଆବଶ୍ୟକୀୟ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନଙ୍କର ତାଲିକା ଏବଂ ଆକଳନ ତୁରନ୍ତ ପ୍ରସ୍ତୁତ କରିବାକୁ ବିପିୟୁଟି କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟ ମିଳିବା ପରେ ସରକାରୀ ସ୍ତରରେ ପ୍ରଶାସନିକ ଅନୁମୋଦନ ମିଳିବ ଏବଂ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ପାରାଦୀପ ଭଳି ଏକ ପ୍ରମୁଖ ଶିଳ୍ପାଞ୍ଚଳ ଓ ବନ୍ଦର ନଗରୀ ଏବଂ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ କେନ୍ଦ୍ର ବଲାଙ୍ଗୀରରେ ଏହି ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ସେମାନଙ୍କୁ ଉଚ୍ଚ ବୈଷୟିକ ଶିକ୍ଷା ପାଇଁ ଆଉ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଫାଷ୍ଟ-ଟ୍ରାକ୍ ମୋଡ୍‌ରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.