Latest Odisha News

BREAKING NEWS

ପୁରୀ ଯିବା ବାଟରେ ପିପିଲି ନିକଟରେ ଓଲଟିଲା ଏସୟୁଭି, ଗୋଟିଏ ପରିବାରର ୧୦ ଗୁରୁତର

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ପୁରୀ ଯାଉଥିବା ବେଳେ ବାଟରେ ଘଟିଛି ଏକ ବଡ଼ ଅଘଟଣ। ପିପିଲି ନିକଟରେ ଏକ ଯାତ୍ରୀବାହୀ ଏସୟୁଭି ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

ମିଳିଥିବା ସୂଚନା ଅନୁଯାୟୀ ଏହି ପରିବାରର ସଦସ୍ୟମାନେ ନିଜର ଏକ ଏସୟୁଭି ଗାଡ଼ିରେ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ। ତେବେ ପିପିଲି ନିକଟ ଜାତୀୟ ରାଜପଥରେ କୌଣସି କାରଣରୁ ଗାଡ଼ିଟି ହଠାତ ନିଜର ଭାରସାମ୍ୟ ହରାଇ ବସିଥିଲା। ଫଳରେ ରାସ୍ତା କଡ଼କୁ ଗାଡ଼ିଟି ଓଲଟି ପଡିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଯାଇଛି। ଗାଡ଼ି ଭିତରେ ଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

 

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପିପିଲି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଗାଡ଼ି ଭିତରେ ଫସି ରହିଥିବା ସମସ୍ତ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ କିମ୍ବା ଭୁବନେଶ୍ୱରର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯିବା ନେଇ ବ୍ୟବସ୍ଥା କରାଯାଇଛି।

 

ଏହି ଦୁର୍ଘଟଣା ଯୋଗୁଁ ରାଜପଥରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଇ ଟ୍ରାଫିକ ବ୍ୟବସ୍ଥା ସ୍ୱାଭାବିକ କରିଛି। ତେବେ ଗାଡ଼ିର ଡ୍ରାଇଭରଙ୍କ ଆଖି ଲାଗିଯିବାରୁ କିମ୍ବା ଅତ୍ୟଧିକ ବେଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସାଧାରଣରେ ସନ୍ଦେହ କରାଯାଉଛି। ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.