Latest Odisha News

BREAKING NEWS

Odisha Coastal Highway:ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ; ଖୋର୍ଦ୍ଧା-ପୁରୀ-କେନ୍ଦ୍ରାପଡ଼ା- ଜଗତସିଂହପୁର ଦେଇ ଯିବ

ଭୁବନେଶ୍ବର: ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ । ଖୋର୍ଦ୍ଧାର ରାମେଶ୍ୱରରୁ ଜଗତସିଂହପୁରର ପାରାଦୀପ ପର୍ଯ୍ୟନ୍ତ ନିର୍ମାଣ ହେବ ଏହି ଭବ୍ୟ କୋଷ୍ଟାଲ ହାଇୱେ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ରାଜ୍ୟର ବ୍ଲୁ ଇକୋନୋମୀ ଏବଂ ଶିଳ୍ପାୟନକୁ ନୂଆ ଗତି ଦେବ । ରାମେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ୧୬୩ କିଲୋମିଟର ଏହି ରାଜପଥ ନିର୍ମାଣ ହେବ। ଏହି ମେଗା ପ୍ରକଳ୍ପରେ ୮,୩୦୦.୭୯ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ପ୍ରକଳ୍ପଗୁଡ଼ିକ ପାଇଁ ରାମେଶ୍ୱରରୁ କୋଣାର୍କ (ପ୍ୟାକେଜ୍-୧) ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ଏବଂ କୋଣାର୍କରୁ ପାରାଦୀପ (ପ୍ୟାକେଜ୍-୨) ପର୍ଯ୍ୟନ୍ତ ୨ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରିବାର ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିକାଶରେ ସହାୟକ ହେବ।

ଏହା ଦ୍ବାରା ରାଜ୍ୟର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଉନ୍ନତ ଯାତ୍ରା ଦକ୍ଷତା ସୁନିଶ୍ଚିତ ହେବ। ଏହି ପ୍ରକଳ୍ପ ଆଞ୍ଚଳିକ ଗତିଶୀଳତାକୁ ମଧ୍ୟ ବୃଦ୍ଧି କରିବ ଏବଂ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ।

ଏହି ପ୍ରକଳ୍ପର କାମ ସମ୍ପୂର୍ଣ୍ଣ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ ହ୍ରାସ ପାଇବାର ଆଶା କରାଯାଉଛି। ଯାତ୍ରୀ ଏବଂ ମାଲ ପରିବହନ ପାଇଁ ନିରାପଦ, ଦ୍ରୁତ ଏବଂ ନିରବଚ୍ଛିନ୍ନ ସଂଯୋଗୀକରଣ ପ୍ରଦାନ କରାଯିବ। ଏହା ସହିତ ଏହି ପ୍ରକଳ୍ପ ଇନ୍ଧନ ବ୍ୟବହାର, କାର୍ବନ ନିର୍ଗମନ ଏବଂ ଯାନବାହନ ପରିଚାଳନା ଖର୍ଚ୍ଚରେ ଯଥେଷ୍ଟ ହ୍ରାସ ଆଣିବ।

ସେପଟେ ଓଡ଼ିଶାର ବିକାଶରେ ‘କୋଷ୍ଟାଲ ହାଇଓ୍ୱେ’ ହେବ ଗେମ୍-ଚେଞ୍ଜର । ରାମେଶ୍ୱର ଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ୧୬୦.୧୮ କିଲୋମିଟର ବିଶିଷ୍ଟ ଗ୍ରୀନଫିଲ୍ଡ ‘କୋଷ୍ଟାଲ ହାଇୱେ’ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୮ ହଜାର ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ରେ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବ । ରାଜ୍ୟର Blue Economy, ଉପକୂଳବର୍ତ୍ତୀ ପର୍ଯ୍ୟଟନ ଓ ଶିଳ୍ପାୟନକୁ ନୂତନ ଗତି ଦେବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ରୋଜଗାର ଓ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

 

Leave A Reply

Your email address will not be published.