ସୁନ୍ଦରଗଡ଼: ଧରା ପଡିଲେ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ । ସୁନ୍ଦରଗଡ଼ ସଦରଥାନା ପୋଲିସ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଧରିଛନ୍ତି । ସେମାନଙ୍କଠାରୁ ୮୯ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ କାରବାରରେ ବ୍ୟବହୃତ କାର ଜବତ ହୋଇଛି।
ସୂଚନାଥାଉକି, ଉତ୍ତରପ୍ରଦେଶର ଦୁଇ ଗଞ୍ଜେଇ ବେପାରୀ କାର୍ରେ ଭୁବନେଶ୍ବରର ଏକ ଜାଲ୍ ନମ୍ବର ଲଗାଇ ଗଞ୍ଜେଇ ଚାଲାଣ କରୁଥିବା ସୂଚନା ପାଇଥିଲେ ସଦରଥାନା ଅଧିକାରୀ ସୌଦାମିନୀ ନାଗ । ଏହି ସୂଚନା ସେ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କୁ ଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଗଞ୍ଜେଇ ବେପାରୀଙ୍କୁ ଧରିବାକୁ ଅଭିଯାନ।
ଗଞ୍ଜେଇ ମାଫିଆମାନେ କରମଡିହିରୁ ମୁଖ୍ୟ ରାସ୍ତା ଛାଡ଼ି ବାଗବନ୍ଧା ଗାଁ ରାସ୍ତା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଗୋଡ଼ାଇ ଗୋଡେଇ ସେମାନଙ୍କୁ ଧରିଥିଲା। କାର୍ ରୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଜବତ କରାଯାଇଛି ।
ଏ ନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।