ରାଉରକେଲା: ହେ ପ୍ରଭୁ ମୋତେ କ୍ଷମା କରିଦେବ…
ହାତ ଯୋଡିଲା, ପ୍ରଣାମ କଲା
ଚୋରି କରିବା ପୂର୍ବରୁ ନେଲା ଭଗବାନଙ୍କ ଆଜ୍ଞା!
ଶେଷରେ ଟେକିନେଲା ମନ୍ଦିର ହୁଣ୍ଡି
କିଛି ଏପରି ରୋଚକ ଚୋରିର ଭିଡିଓ ଏବେ ସାମ୍ନାକୁ ଆସିଛି ରାଉରକେଲାରୁ । ଯେଉଁଠି ଚୋର ମନ୍ଦିରରୁ ଚୋରି କରିବା ପୂର୍ବରୁ ସେଠାରେ ଥିବା ଭଗବାନଙ୍କୁ ପ୍ରଣାମ କରି ତାଙ୍କ ଆଶିର୍ବାଦ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ସୁନ୍ଦରଗଡ ଜିଲ୍ଲା ରାଉଲକେଲା ସହର ସ୍ଥିତ ଉଦିତନଗରର ଜଗନ୍ନାଥ ମନ୍ଦିରରେ, ଜଣେ ଚୋର ଚୋରି କରିବା ପୂର୍ବରୁ ପ୍ରଭୁଙ୍କୁ ପ୍ରଣାମ କରିବା ପରେ ମନ୍ଦିରର ଦାନ ବାକ୍ସରୁ ନଗଦ ଟଙ୍କା ନେଇ ପଲାଇ ଯାଇଛି । ଯାହାର ପୂରା ଦୃଶ୍ୟ ମନ୍ଦିରରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଛି ।
ଘଟଣାଟି ଘଟିଥିଲା ଜୁନ୍ ୧ ସୋମବାର ଭୋର ସକାଳ ପ୍ରାୟ ୪ଟା ସମୟରେ । ସିସିଟିଭି ଫୁଟେଜ କଏଦ୍ ହୋଇଥିବା ଦୃଶ୍ୟ ଅନୁଯାୟୀ, ଜଣେ ବ୍ୟକ୍ତି ମନ୍ଦିର ପରିସରରେ ପ୍ରବେଶ କରୁଥିବାର ଦେଖାଯାଉଛି। ମନ୍ଦିରରେ ପ୍ରବେଶ କରିବା ପରେ, ସେ ପ୍ରଥମେ ଅରୁଣ ସ୍ତମ୍ଭ ପାଖକୁ ଯାଇ ଠାକୁରଙ୍କୁ ପ୍ରଣାମ କରୁଛି । ତା’ପରେ ସେ ମନ୍ଦିର ପରିସରରେ ଥିବା ଭଗବାନ ଶିବ ମନ୍ଦିରକୁ ଯାଇ ମୁଣ୍ଡିଆ ମାରିଥିଲେ।
ପ୍ରଥମେ ଦେଖିଲେ ଯେ କେହି ବି ଭାବିବ ସାଧାରଣ ଭକ୍ତଟି ପରି ସେ ମଧ୍ୟ ମନ୍ଦିର ଆସିଛନ୍ତି । ଆଉ ଭଗବାନଙ୍କ ଆଶିର୍ବାଦ ଲୋଡୁଛନ୍ତି । ହେଲେ ଏହା ପରେ ବଦଳିଯାଇଥିଲା ପୂରା କାହାଣୀ । ଭଗବାନଙ୍କୁ ପ୍ରଣାମ ଜଣାଇବ ପରେ, ଚୋର ତାର ପ୍ରକୃତ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ମିଶନ ଆରମ୍ଭ କରିଥିଲା । ସେ ପ୍ରଥମେ ମନ୍ଦିର ବାହାରେ ରଖାଯାଇଥିବା ଦାନ ବାକ୍ସକୁ ବାହାର କରିଥିଲା । ତାକୁ ମନ୍ଦିର ପଛପଟକୁ ନେଇ ଭାଙ୍ଗି ସେଥିରୁ ଟଙ୍କା ବାହାର କରିନେଇଥିଲା। ଏହା ପରେ ସେ ମନ୍ଦିରର ଗର୍ଭଗୃହକୁ ଯାଇଥିବା ଦ୍ୱାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା । ଆଉ ଦ୍ୱିତୀୟ ଦାନ ବାକ୍ସକୁ ମଧ୍ୟ ଭାଙ୍ଗି ସେଥିରୁ ଟଙ୍କା ଚୋରି କରି ନେଇଥିଲା। ଏହିପରି ଭାବରେ, ଚୋରଟି ମନ୍ଦିର ଭିତରେ ଏବଂ ବାହାରେ ଚାରିଆଡେ କଳାକନା ବୁଲାଇ ଦେଇଥିଲା । ପରେ ସକାଳ ହେବାରୁ ମନ୍ଦିରର ପୂଜକ ପହଞ୍ଚିବା ପରେ ସେ ଭଙ୍ଗା ଦାନ ବାକ୍ସ ଦେଖିଥିଲେ। ଯାହାପରେ ଧାଁଦୌଡ ଆରମ୍ଭ ହୋଇଥିବା ବେଳେ ସିସିଟିଭି ଫୁଟେଜରୁ ସବୁ ସତ ସାମ୍ନାକୁ ଆସିଥିଲା । ତେବେ ପୋଲିସ୍ ଏବେ ଏହି ଘଟଣାର ଯାଞ୍ଚ କରୁଛି । ହେଲେ ଚୋରର ଏଭଳି ଆଚରଣ ଏବେ ଚାରିଆଡେ ଆଲୋଚନାର ବିଷୟ ପାଲଟିଛି ।