ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଟ୍ରେନରେ ମିଳୁଥିବା ଖାଦ୍ୟର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ରେଳ ବିଭାଗ ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି।
ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ନିଜର ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି। ଏଣିକି ଯାତ୍ରୀଙ୍କୁ ସଫା ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ।
ମିଳିଥିବା ସୂଚନା ଅନୁଯାୟୀ ରେଳ ବିଭାଗ ଅଧୀନରେ ଦେଶବ୍ୟାପୀ ଥିବା ୮୦୦ରୁ ଅଧିକ ରୋଷେଇ ଘର ଉପରେ ଏବେ ସିଧାସଳଖ ତଦାରଖ କରାଯିବ। ଏଥିପାଇଁ ଆଇଆରସିଟିସି ପକ୍ଷରୁ ସମସ୍ତ କିଚେନରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କ୍ୟାମେରା ଖଞ୍ଜାଯିବ। ଏହି ସ୍ମାର୍ଟ କ୍ୟାମେରା ଗୁଡ଼ିକ ରୋଷେଇ ଘରର ପରିମଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତି ଏବଂ ପ୍ୟାକେଜିଂ ପର୍ଯ୍ୟନ୍ତ ସବୁକିଛି ଉପରେ ତୀକ୍ଷ୍ଣ ନଜର ରଖିବେ। ଖାଦ୍ୟ ପ୍ରସ୍ତୁତ କରୁଥିବା କର୍ମଚାରୀମାନେ ସଠିକ୍ ପୋଷାକ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଏହି ଆଧୁନିକ କ୍ୟାମେରା ନିମିଷକେ ଧରିପାରିବ।
ଯଦି ରୋଷେଇ ଘରେ କୌଣସି ପ୍ରକାରର ଅନିୟମିତତା କିମ୍ବା ଅପରିଷ୍କାର ପରିବେଶ ଦେଖାଯାଏ ତେବେ ତୁରନ୍ତ କେନ୍ଦ୍ରୀୟ କଣ୍ଟ୍ରୋଲ ରୁମକୁ ସତର୍କ ସୂଚନା ଯିବ। ଫଳରେ ସମ୍ପୃକ୍ତ ଅଧିକାରୀମାନେ ସଙ୍ଗେ ସଙ୍ଗେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କେବଳ ସେତିକି ନୁହେଁ ରୋଷେଇ କରୁଥିବା ଲୋକେ ହାତକୁ ସଫା ରଖୁଛନ୍ତି କି ନାହିଁ ସେହି ବିଷୟରେ ମଧ୍ୟ ସବିଶେଷ ତଥ୍ୟ ସଂଗ୍ରହ କରାଯିବ।
ଅନେକ ସମୟରେ ବାସି କିମ୍ବା ଖରାପ ଖାଦ୍ୟ ଦିଆଯାଉଥିବା ନେଇ ଯାତ୍ରୀମାନେ ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ କରୁଥିଲେ। ଟ୍ରେନ ଖାଦ୍ୟରେ ପୋକ ବାହାରିବା ଘଟଣା ମଧ୍ୟ ଅନେକ ଥର ଚର୍ଚ୍ଚାର ବିଷୟ ପାଲଟିଥିଲା। ତେଣୁ ଆଇଆରସିଟିସିର ଏହି ନୂଆ ଏଆଇ ଭିତ୍ତିକ ବ୍ୟବସ୍ଥା ଯାତ୍ରୀଙ୍କ ମନରେ ରେଳ ଖାଦ୍ୟ ପ୍ରତି ପୁଣିଥରେ ବିଶ୍ୱାସ ସୃଷ୍ଟି କରିବ ବୋଲି ଆଶା ରଖିଛି ।