ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ବନାନ ବଦଳିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ ସୁପାରିସ୍ କରାଯାଇଛି । ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଓଡ଼ିଆ ଭାଷା, ଇତିହାସ, ଭୂଗୋଳ ଓ ପ୍ରଶାସନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
୫୦ରୁ ଅଧିକ ସ୍ଥାନର ନାମକୁ ସେମାନଙ୍କର ମୂଳ ଓଡ଼ିଆ ଉଚ୍ଚାରଣ ଓ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ସୁପାରିସ କରାଯାଇଛି।
କମିଟିର ମତ ହେଉଛି, ଇଂରାଜୀ ଶାସନ କାଳ ଓ ପରବର୍ତ୍ତୀ ସମୟରେ ଅନେକ ସ୍ଥାନର ନାମର ଉଚ୍ଚାରଣ ଏବଂ ବନାନ ବିକୃତ ହୋଇଯାଇଥିଲା। ମୂଳ ଓଡ଼ିଆ ନାମ ପୁନଃସ୍ଥାପନ ହେଲେ ରାଜ୍ୟର ଭାଷାଗତ ଐତିହ୍ୟ ଓ ସାଂସ୍କୃତିକ ପରିଚୟ ଅଧିକ ସୁଦୃଢ଼ ହେବ। ବୈଠକରେ ଗୃହୀତ ସୁପାରିସଗୁଡ଼ିକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ସରକାରୀ ଅନୁମୋଦନ ପରେ ସମ୍ପୃକ୍ତ ସ୍ଥାନଗୁଡ଼ିକର ନାମ ପରିବର୍ତ୍ତନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।