କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ଘଟଣାରେ ବିଭାଗୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପଟ୍ଟାମୁଣ୍ଡାଇ ଏକ୍ସସାଇଜ ଷ୍ଟେସନର OIC ଛାୟାକାନ୍ତ ନାୟକଙ୍କୁ ଜିଲ୍ଲା ଅବକାରୀ ମୁଖ୍ୟାଳୟକୁ ବଦଳି କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟ କରିବେ।
ସେହିପରି ଏହି ଘଟଣାରେ ଜଡ଼ିତ ଥିବା ASI ପ୍ରଦୀପ କୁମାର ମଲ୍ଲିକ ଏବଂ କନଷ୍ଟେବଳ ରାମକୃଷ୍ଣ ଦାସଙ୍କୁ ଆଳି ଏକ୍ସସାଇଜ ଷ୍ଟେସନକୁ ବଦଳି କରାଯାଇଛି। ଅନ୍ୟପଟେ ମାର୍ଶାଘାଇ ଏକ୍ସସାଇଜ ଷ୍ଟେସନର OIC ଋତୁପ୍ରଭା ସ୍ୱାଇଁଙ୍କୁ ପଟ୍ଟାମୁଣ୍ଡାଇ ଏକ୍ସସାଇଜ ଷ୍ଟେସନର ନୂତନ OIC ଭାବେ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରାପଡ଼ା ଏକ୍ସସାଇଜ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ବଦଳି ଆଦେଶ ଜାରି ହୋଇଛି।
ସୂଚନା ଅନୁସାରେ, ଗତ ମେ’ ୨୮ ତାରିଖରେ ପଟ୍ଟାମୁଣ୍ଡାଇ ଏକ୍ସସାଇଜ ଷ୍ଟେସନର OIC ଛାୟାକାନ୍ତ ନାୟକ ବେଆଇନ ମଦ କାରବାର ଉପରେ ଚଢ଼ାଉ କରୁଥିବା ବେଳେ ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସ ଘଟଣାର ଭିଡିଓ ରେକର୍ଡ କରିଥିଲେ। ଏହା ଜାଣିବା ପରେ ସମ୍ପୃକ୍ତ ଯୁବକଙ୍କୁ ଅବକାରୀ କର୍ମଚାରୀମାନେ ଉଠାଇ ଆଣିଥିବା ଅଭିଯୋଗ ହୋଇଥିଲା।
ବିନୋଦଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଥାନାକୁ ନେବା ବାଟରେ ଗାଡ଼ି ଭିତରେ ପ୍ରବଳ ଭାବେ ମାଡ଼ ମରାଯାଇଥିଲା। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା।
ବର୍ତ୍ତମାନ ଏହି ଘଟଣାର ତଦନ୍ତ ରାଜନଗର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି। ତଦନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ ଅନୁଯାୟୀ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ ସୂଚନା ଦେଇଛନ୍ତି।