ନୂଆଦିଲ୍ଲୀ: ଜାତୀୟ ରାଜନୀତି ଏବଂ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ (INDIA Bloc) ରେ ଏକ ବଡ଼ ଧରଣର ସଂକଟ ସାମ୍ନାକୁ ଆସିଛି। ଆସନ୍ତା ଜୁନ୍ ୮ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ‘ଇଣ୍ଡିଆ’ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ବର୍ଜନ କରିବ ବୋଲି ତାମିଲନାଡୁର ଶାସକ ଦଳ ଡିଏମକେ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। କଂଗ୍ରେସ ପକ୍ଷରୁ କରାଯାଇଥିବା “ବିଶ୍ୱାସଘାତକତା” କୁ କାରଣ ଦର୍ଶାଇ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ DMK ଏହି ନିଷ୍ପତ୍ତି ନେଇଛି, ଯାହା ବିରୋଧୀ ଏକତାକୁ ଏକ ଶକ୍ତ ଧକ୍କା ଦେଇଛି।
ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ରାଜ୍ୟ ରାଜନୀତିର ସମୀକରଣ ସମ୍ପୂର୍ଣ୍ଣ ବଦଳି ଯାଇଛି। ନିର୍ବାଚନରେ ସୁପରଷ୍ଟାର ବିଜୟଙ୍କ ଦଳ ‘ଟିଭିକେ’ (TVK) ସବୁଠାରୁ ବଡ଼ ଦଳ ଭାବେ ଉଭା ହେବା ପରେ, କଂଗ୍ରେସ ନିଜର ୨୦ ବର୍ଷର ପୁରୁଣା ସହଯୋଗୀ DMK ର ହାତ ଛାଡ଼ି TVK ସହ ମିଶି ସରକାର ଗଠନ କରିଛି। କଂଗ୍ରେସର ଏଭଳି ଆଭିମୁଖ୍ୟକୁ DMK ର କର୍ମୀ ଏବଂ ନେତାମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି।
DMK ର ଯୁବ ମୁଖ୍ୟ ଉଧୟନିଧି ଷ୍ଟାଲିନ କଂଗ୍ରେସ ଉପରେ ପଛପଟୁ ଛୁରୀ ମାରିଥିବା ଅଭିଯୋଗ ଆଣିବା ସହ କହିଛନ୍ତି ଯେ, କଂଗ୍ରେସକୁ ଆଉ କେବେ ବି ବିଶ୍ୱାସ କରାଯିବା ଉଚିତ୍ ନୁହେଁ।
DMK ପକ୍ଷରୁ ଜାରି ବିବୃତି ଦଳ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି “ତାମିଲନାଡୁ ନିର୍ବାଚନ ପରେ କଂଗ୍ରେସ ଦଳ ଯେଉଁଭଳି ଭାବେ ବିଶ୍ୱାସଘାତକତା କଲା, ସେଥିପାଇଁ DMK ର ସମସ୍ତ କର୍ମୀ ଗଭୀର ଭାବେ ଆହତ ଏବଂ ମର୍ମାହତ। ସେମାନଙ୍କର ଏହି ଭାବନାକୁ ସମ୍ମାନ ଜଣାଇ ଦଳ ଜୁନ୍ ୮ ରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟ ବୈଠକରେ ଭାଗ ନେବ ନାହିଁ।”
ତେବେ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବୈଠକରୁ ଦୂରେଇ ରହିଲେ ମଧ୍ୟ ଦେଶର ଗଣତନ୍ତ୍ର, ଧର୍ମନିରପେକ୍ଷତା ଏବଂ ରାଜ୍ୟଗୁଡ଼ିକର ଅଧିକାର ପାଇଁ ସେମାନେ ସଂସଦ ଏବଂ ବାହାରେ ସ୍ୱର ଉତ୍ତୋଳନ ଜାରି ରଖିବେ।
ଏହି ତିକ୍ତତା କେବଳ ବୈଠକ ବର୍ଜନ ମଧ୍ୟରେ ସୀମିତ ନାହିଁ। DMK ସାଂସଦ କାନିମୋଝି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ସଂସଦରେ DMK ସାଂସଦମାନଙ୍କ ପାଇଁ ପୃଥକ ଆସନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ପରିବର୍ତ୍ତିତ ରାଜନୈତିକ ସ୍ଥିତି ଯୋଗୁଁ କଂଗ୍ରେସ ସାଂସଦମାନଙ୍କ ସହ ବସିବା ସମ୍ଭବ ନୁହେଁ ବୋଲି ଦଳ କହିଥିଲା, ଯାହାକୁ ବାଚସ୍ପତି ମଞ୍ଜୁରୀ ପ୍ରଦାନ କରିଛନ୍ତି।
ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ହେବାକୁ ଥିବା ଏହି ବୈଠକରେ ମମତା ବାନାର୍ଜୀ, ଉଦ୍ଧବ ଠାକରେ ଏବଂ ଅଖିଳେଶ ଯାଦବଙ୍କ ଭଳି ପ୍ରମୁଖ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ପ୍ରମୁଖ ସହଯୋଗୀ DMK ଏହି ବୈଠକରୁ ଓହରିଯିବା ଏବଂ ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ମେଣ୍ଟଠାରୁ ଦୂରତା ବଜାୟ ରଖିବା ଯୋଗୁଁ ବିରୋଧୀ ଶିବିରରେ ନେତୃତ୍ୱ ସଂକଟ ସ୍ପଷ୍ଟ ବାରି ହୋଇପଡ଼ୁଛି।