ଚେନ୍ନାଇ: ବିଜେପି ଛାଡ଼ିବା ପରେ ତାମିଲନାଡୁର ପୂର୍ବତନ ବିଜେପି ଅଧ୍ୟକ୍ଷ କେ. ଆନ୍ନାମଲାଇ ନୂଆ ରାଜନୀତିକ ଯାତ୍ରା ଆରମ୍ଭ କରିଛନ୍ତି। ସେ “We The Leaders” ନାମରେ ଏକ ନୂଆ ରାଜନୀତିକ ଆନ୍ଦୋଳନ ଘୋଷଣା କରିଛନ୍ତି। ଏହି ଆନ୍ଦୋଳନ ଭବିଷ୍ୟତରେ ଏକ ରାଜନୀତିକ ଦଳର ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି।
ଆନ୍ନାମଲାଇଙ୍କ ଏହି ନୂଆ ରାଜନୀତିକ ପ୍ରୟାସରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ନାମ। ରିପୋର୍ଟ ଅନୁସାରେ, କୋଏମ୍ବାଟୁର ଭିତ୍ତିକ APJ Abdul Kalam Centre for Ethics and Politics ଏହି ଆନ୍ଦୋଳନର ଏକ ଅଂଶ ଭାବେ କାମ କରିବ। ଆନ୍ନାମଲାଇ କଲାମଙ୍କ ନାମକୁ ଆଗରେ ରଖି ଏକ ସ୍ପଷ୍ଟ ରାଜନୀତିକ ସନ୍ଦେଶ ଦେବାକୁ ଚେଷ୍ଟା କରୁଛନ୍ତି।
ଏଠି ପ୍ରଶ୍ନ ହେଉଛି, ଅନ୍ନାମଲାଇ କାହିଁକି କଲାମଙ୍କୁ ନିଜ ଆନ୍ଦୋଳନର ପ୍ରେରଣା ଭାବେ ବାଛିଲେ? ଡ. ଏପିଜେ ଅବଦୁଲ କଲାମ କେବଳ ଜଣେ ବୈଜ୍ଞାନିକ କିମ୍ବା ପୂର୍ବତନ ରାଷ୍ଟ୍ରପତି ନୁହେଁ। ସେ ତାମିଲନାଡୁର ମାଟିରୁ ଉଠି ଦେଶର ସବୁଠାରୁ ସମ୍ମାନିତ ଲୋକମାନଙ୍କ ମଧ୍ୟରେ ଜଣେ ହୋଇଥିଲେ। ତାଙ୍କ ଛବି ଦଳୀୟ ରାଜନୀତିରୁ ଉପରେ ଥିଲା। ଯୁବପିଢ଼ି, ଶିକ୍ଷା, ନୀତି, ଇମାନଦାରୀ ଓ ଭାରତର ବିକାଶ ସ୍ୱପ୍ନ ସହ କଲାମଙ୍କ ନାମ ଜଡିତ। ଆନ୍ନାମଲାଇ ଏହି ଭାବନାକୁ ନିଜ ନୂଆ ରାଜନୀତିକ ମଞ୍ଚର ଆଧାର କରିବାକୁ ଚାହୁଁଛନ୍ତି।
ଆନ୍ନାମଲାଇଙ୍କ ଦାବି ହେଉଛି, ତାଙ୍କ ଆନ୍ଦୋଳନ ପରିବାରବାଦ, ବ୍ୟକ୍ତିପୂଜା ଓ ପୁରୁଣା ଶୈଳୀର ରାଜନୀତିକୁ ଚ୍ୟାଲେଞ୍ଜ କରିବ। ସେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ଯୁବ ନେତୃତ୍ୱ ଓ ଗାଁର ଲୋକ ଭାଗୀଦାରିକୁ ଆଗକୁ ଆଣିବା କଥା କହୁଛନ୍ତି। ଏହି ଆନ୍ଦୋଳନରେ ଟେକ୍ନୋଲୋଜି ଓ ଡାଟା ଆଧାରିତ ଶାସନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ରିପୋର୍ଟରେ କୁହାଯାଇଛି।
ବିଜେପି ଛାଡ଼ିବା ପରେ ଆନ୍ନାମଲାଇ କହିଛନ୍ତି ଯେ ତାଙ୍କ ରାଜନୀତିକ ଲକ୍ଷ୍ୟ ବଡ଼। ସେ ତାମିଲନାଡୁରେ ଏକ ନୂଆ ପ୍ରକାରର ରାଜନୀତି ଆଣିବାକୁ ଚାହୁଁଛନ୍ତି। ତାଙ୍କ କଥାରୁ ସ୍ପଷ୍ଟ, ସେ ନିଜକୁ କେବଳ ବିଜେପିର ପୂର୍ବତନ ନେତା ଭାବେ ନୁହେଁ, ବରଂ ତାମିଲନାଡୁରେ ଏକ ବିକଳ୍ପ ରାଜନୀତିକ ଶକ୍ତି ଭାବେ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି।
ତାମିଲନାଡୁ ରାଜନୀତି ଦୀର୍ଘଦିନ ଧରି ଦ୍ରାବିଡ଼ ଦଳମାନଙ୍କ ପ୍ରଭାବରେ ରହିଛି। ଡିଏମକେ, ଏଆଇଏଡିଏମକେ ଓ ଏବେ ଅଭିନେତା ବିଜୟଙ୍କ ଟିଭିକେ ଭଳି ଶକ୍ତି ମଧ୍ୟରେ ଆନ୍ନାମଲାଇଙ୍କ ପାଇଁ ନିଜ ଜାଗା ତିଆରି କରିବା ବଡ଼ ଚ୍ୟାଲେଞ୍ଜ ହେବ।
ଅନ୍ନାମଲାଇଙ୍କ ଶକ୍ତି ହେଉଛି ତାଙ୍କର ଯୁବ ଛବି, ପୂର୍ବତନ IPS ଅଫିସର ଭାବେ ପରିଚୟ ଓ ସ୍ପଷ୍ଟ କଥା କହିବାର ଶୈଳୀ। କିନ୍ତୁ ତାଙ୍କ ପାଇଁ ବଡ଼ ପରୀକ୍ଷା ହେବ ଗ୍ରାଉଣ୍ଡରେ ସଂଗଠନ ଗଢ଼ିବା, ଗାଁ ଓ ସହରରେ ଭୋଟରଙ୍କ ବିଶ୍ୱାସ ଜିତିବା, ଏବଂ ନୂଆ ଆନ୍ଦୋଳନକୁ କେବଳ ସୋସିଆଲ ମିଡିଆ ଉତ୍ସାହରୁ ବାସ୍ତବ ଭୋଟ୍ ଶକ୍ତିରେ ପରିଣତ କରିବା।