ମୁମ୍ବାଇ: ଭାରତୀୟ ଟି-୨୦ କ୍ରିକେଟ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ଭାରତର ନୂଆ ଟି-୨୦ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।
ସେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ନେବେ । କେବଳ ଅଧିନାୟକ ପଦ ନୁହେଁ ଖରାପ ଫର୍ମ ଦେଇ ଯାଉଥିବା ସୂର୍ଯ୍ୟକୁମାରଙ୍କୁ ସମ୍ପୂର୍ଣ୍ଣ ଦଳରୁ ମଧ୍ୟ ବାଦ ଦିଆଯାଇଛି। ଆଗାମୀ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବିସିସିଆଇ ପକ୍ଷରୁ ଆଜି ଏହି ନୂଆ ଦଳ ଘୋଷଣା କରାଯାଇଛି।
ଚଳିତ ବର୍ଷ ଆରମ୍ଭରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ୍ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଥିଲା। କିନ୍ତୁ ଗତ ୧୮ ମାସ ଧରି ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଏହା ସହିତ ତାଙ୍କ ହାତରେ ଆଘାତ ଲାଗିଥିବା କାରଣରୁ ଚୟନକର୍ତ୍ତାମାନେ ଏହି ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପକ୍ଷରେ ଆଇପିଏଲରେ ଦମଦାର ନେତୃତ୍ୱ ଏବଂ ଲଗାତାର ଭଲ ବ୍ୟାଟିଂ କରିବା ଶ୍ରେୟସଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଶ୍ରେୟସ ଏକମାତ୍ର ଅଧିନାୟକ ଭାବେ ଆଇପିଏଲରେ ତିନୋଟି ଭିନ୍ନ ଭିନ୍ନ ଦଳ (ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ) କୁ ଫାଇନାଲରେ ପହଞ୍ଚାଇବାର ରେକର୍ଡ ନିଜ ନାଁରେ କରିଛନ୍ତି।
ବର୍ତ୍ତମାନ ଯୁବ ଖେଳାଳି ତିଲକ ବର୍ମାଙ୍କୁ ଟି-୨୦ ଦଳର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସାମିଲ କରାଯାଇଛି ଯାହା ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।
ଆଗାମୀ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ଏବଂ ପରବର୍ତ୍ତୀ ଟି-୨୦ ବିଶ୍ୱକପକୁ ଆଖି ଆଗରେ ରଖି ବିସିସିଆଇ ଏବେଠାରୁ ଏକ ଶକ୍ତିଶାଳୀ ଦଳ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି।
ଶ୍ରେୟସଙ୍କ ନେତୃତ୍ୱରେ ଭାରତୀୟ ଦଳ ଜୁନ ୨୬ ଏବଂ ୨୮ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ ଖେଳିବ। ଏହା ପରେ ଜୁଲାଇ ୧ ତାରିଖରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି।