ବେଜିଂ: ଚୀନ୍ ଏବେ ଏକ ଗୁରୁତର ସଙ୍କଟ ଦେଇ ଗତି କରୁଛି, ଯାହା ଆଗାମୀ ଦିନରେ ଦେଶର ଅର୍ଥବ୍ୟବସ୍ଥା ଏବଂ ସମାଜିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୋହଲାଇ ଦେବ । ଏହି ସଙ୍କଟ ହେଉଛି କମୁଥିବା ବାହାଘର ଏବଂ ଦ୍ରୁତ ଗତିରେ ହ୍ରାସ ପାଉଥିବା ଜନ୍ମହାର ।
ଚୀନ୍ରେ ଏବେ ‘ନୋ ମ୍ୟାରେଜ୍, ନୋ କିଡ୍ସ’ (No Marriage, No Kids) ଅର୍ଥାତ୍ ‘ବାହାଘର ନାହିଁ କି ପିଲାପିଲି ନାହିଁ’ର ଏକ ନୂଆ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି। ପରିସ୍ଥିତି ଏଭଳି ହୋଇଛି ଯେ ସରକାର ଲୋକଙ୍କୁ ବାହା ହେବା ପାଇଁ ଟଙ୍କା ଏବଂ ଛୁଟି ବାଣ୍ଟୁଛନ୍ତି, ତଥାପି ଯୁବପିଢ଼ି ବାହାଘର ଠାରୁ ଦୂରେଇ ରହୁଛନ୍ତି।
ପରିସଂଖ୍ୟାନ ଅନୁଯାୟୀ, ଗତ ଏକ ଦଶନ୍ଧି ମଧ୍ୟରେ ଚୀନ୍ରେ ବିବାହ ସଂଖ୍ୟା ସବୁଠାରୁ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ୨୦୧୭ ମସିହା ତୁଳନାରେ ଏବେ ବିବାହ ପଞ୍ଜୀକରଣ ପ୍ରାୟ ଅଧା ହୋଇଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ଶି ଜିନପିଙ୍ଗ୍ ସରକାର ଅଦ୍ଭୁତ ନିୟମ ସବୁ ଆପଣାଉଛନ୍ତି । ଏପରିକି ଚୀନ୍ର ଏକ କେମିକାଲ୍ କମ୍ପାନୀ ନିଜ କର୍ମଚାରୀଙ୍କୁ ନୋଟିସ୍ ଜାରି କରି କହିଥିଲା ଯେ, ଯଦି ସେମାନେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବାହା ନହେବେ ତେବେ ସେମାନଙ୍କୁ ଚାକିରିରୁ ବାହାର କରିଦିଆଯିବ।
ସରକାରଙ୍କ ପକ୍ଷରୁ ମ୍ୟାଚ୍ମେକିଂ କୋର୍ସ ଆରମ୍ଭ କରାଯାଉଛି ଏବଂ ସୋସିଆଲ ମିଡିଆରେ ବାହାଘର ବିରୋଧୀ ପୋଷ୍ଟ ଉପରେ କଡ଼ା ନଜର ରଖାଯାଉଛି। କେବଳ ସେତିକି ନୁହେଁ, ପିଲା ଜନ୍ମ କଲେ ବାର୍ଷିକ ପ୍ରାୟ ୫୦ ହଜାର ଟଙ୍କାର ସବ୍ସିଡି, ମାତୃତ୍ୱ କାଳୀନ ଛୁଟିର ଅବଧି ବୃଦ୍ଧି ଏବଂ ଗର୍ଭନିରୋଧକ ସାମଗ୍ରୀ ଉପରେ ଟିକସ ବଢ଼ାଇ ଦିଆଯାଇଛି। ତଥାପି, ଚୀନ୍ର ଯୁବପିଢ଼ି ବାହା ହେବାକୁ ପ୍ରସ୍ତୁତ ନାହାନ୍ତି।
ତେବେ ପ୍ରଶ୍ନ ଉଠୁଛି ଚୀନର ଯୁବପିଢ଼ି ବାହା ହେବାକୁ କାହିଁକି ଅନିଛୁକ ? ବିଶେଷଜ୍ଞଙ୍କ ମତରେ, ଏହାର ସବୁଠାରୁ ବଡ଼ କାରଣ ହେଉଛି ମହିଳାଙ୍କ ଉପରେ ବଢ଼ୁଥିବା ସାମାଜିକ ଓ ପାରିବାରିକ ଚାପ। ଆଜିର ଆଧୁନିକ ଏବଂ ଶିକ୍ଷିତ ଚୀନ୍ ମହିଳାମାନେ ଆର୍ଥିକ ଭାବେ ସ୍ୱାଧୀନ। ବାହାଘର ପରେ କ୍ୟାରିୟର ଏବଂ ଘରର ଦାୟିତ୍ୱ ଏକାସଙ୍ଗେ ସମ୍ଭାଳିବା ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସାଜୁଛି। ଅନେକ ସମୟରେ ମାତୃତ୍ୱ କାରଣରୁ ମହିଳାଙ୍କ ପ୍ରମୋଶନ ଏବଂ କ୍ୟାରିୟର ଗ୍ରୋଥ୍ ଅଟକି ଯାଉଛି।
ଏହା ବ୍ୟତୀତ ଚୀନ୍ରେ ଜଣେ ପିଲାକୁ ୧୮ ବର୍ଷ ପର୍ଯ୍ୟନ୍ତ ପାଳିବା ପାଇଁ ପ୍ରାୟ ୭୬ ଲକ୍ଷ ଟଙ୍କାର ଖର୍ଚ୍ଚ ହେଉଛି। ମହଙ୍ଗା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଆକାଶଛୁଆଁ ଘରଭଡ଼ା ଯୋଗୁଁ ଯୁବପିଢ଼ି ପରିବାର ବଢ଼ାଇବାକୁ ଭୟ କରୁଛନ୍ତି।
ଏହି ସଙ୍କଟର ମୂଳଦୁଆ ପଡ଼ିଥିଲା ୧୯୮୦ ମସିହାରେ ଲାଗୁ ହୋଇଥିବା ‘ୱାନ୍ ଚାଇଲ୍ଡ ପଲିସି’ (One Child Policy) ରେ । ସେତେବେଳେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଚୀନ୍ ସରକାର କଡ଼ା ନିୟମ ଆଣିଥିଲେ, ଯାହାର ଭୟଙ୍କର ପରିଣାମ ଏବେ ଦେଖିବାକୁ ମିଳୁଛି। ଦେଶରେ କାର୍ଯ୍ୟକ୍ଷମ ଯୁବକଙ୍କ ସଂଖ୍ୟା କମିବାରେ ଲାଗିଛି ଏବଂ ବୃଦ୍ଧଙ୍କ ସଂଖ୍ୟା ବଢ଼ିଚାଲିଛି, ଯାହା ଚୀନ୍ ଅର୍ଥନୀତି ପାଇଁ ବିପଦ ସଙ୍କେତ। ସମାନ ସମସ୍ୟା ଏବେ କେବଳ ଚୀନ୍ ନୁହେଁ, ବରଂ ଭାରତ ସମେତ ବିଶ୍ୱର ପ୍ରାୟ ଦୁଇ-ତୃତୀୟାଂଶ ଦେଶରେ ମଧ୍ୟ ଦେଖାଦେଲାଣି। ବିଶେଷଜ୍ଞଙ୍କ ଅନୁସାରେ, କେବଳ ସବ୍ସିଡି ଦେଲେ ଏହି ସମସ୍ୟାର ସମାଧାନ ହେବନାହିଁ। ଏଥିପାଇଁ ସାମାଜିକ ଚିନ୍ତାଧାରାରେ ପରିବର୍ତ୍ତନ ଏବଂ ଘରୋଇ କାମରେ ଲିଙ୍ଗଗତ ସମାନତା ଆଣିବା ଜରୁରୀ।