ଭୁବନେଶ୍ବର: ସ୍ୱପ୍ନ ଦେଖୁଥିବା ଏବଂ ସେହି ସ୍ୱପ୍ନ ପଛରେ ଜୀବନ ସାରା ଗୋଡ଼ାଉଥିବା ଲୋକଙ୍କ ପାଇଁ ଏକ ବଡ଼ ପ୍ରେରଣାଦାୟୀ ଖବର ସାମ୍ନାକୁ ଆସିଛି। ୧୯ ବର୍ଷର ଲମ୍ବା ସଂଘର୍ଷ ଶେଷରେ ରଙ୍ଗ ଆଣିଛି। ‘ଇଣ୍ଡିଆନ୍ ଆଇଡଲ୍’ ସିଜନ୍-୩ ରୁ ନିଜର ପରିଚୟ ସୃଷ୍ଟି କରିଥିବା ଗାୟିକା ଦୀପାଳି ସହାୟଙ୍କ ଭାଗ୍ୟ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ଷ ବର୍ଷ ଧରି ଯେଉଁ ସୁଯୋଗକୁ ସେ ଅପେକ୍ଷା କରିଥିଲେ, ତାହା ଶେଷରେ ତାଙ୍କୁ ମିଳିଛି। ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍. ରହମାନ ଏବେ ଦୀପାଳିଙ୍କୁ ନିଜର ଆଗାମୀ ଫିଲ୍ମରେ ଗୀତ ଗାଇବାର ଏକ ବଡ଼ ବ୍ରେକ୍ ଦେଇଛନ୍ତି।
୨୦୦୭ ମସିହାରେ ଯେତେବେଳେ ଦୀପାଳି ସହାୟ ଇଣ୍ଡିଆନ୍ ଆଇଡଲ୍ ସୋ’ରୁ ବାହାରି ଯାଇଥିଲେ, ସେତେବେଳେ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା। ସେହି ସମୟରେ ସୋ’ର ହୋଷ୍ଟ ମିନି ମାଥୁର ତାଙ୍କୁ ସାନ୍ତ୍ୱନା ଦେଇ କହିଥିଲେ ଯେ, ଦିନେ ସାରା ଦୁନିଆ ତାଙ୍କ ଗୀତ ଗୁଣୁଗୁଣେଇବ। ଆଉ ଆଜି ପ୍ରାୟ ଦୁଇ ଦଶନ୍ଧି ପରେ ସେହି କଥା ସତ ପ୍ରମାଣିତ ହୋଇଛି। ପ୍ରସିଦ୍ଧ ନିର୍ଦ୍ଦେଶକ ଇମତିଆଜ୍ ଅଲୀଙ୍କ ଆଗାମୀ ଚଳଚ୍ଚିତ୍ର ‘ମେଁ ୱାପସ ଆଉଙ୍ଗା’ (Main Wapas Aaunga) ରେ ଦୀପାଳିଙ୍କୁ ଗୀତ ଗାଇବାର ମହାନ୍ ସୁଯୋଗ ଦେଇଛନ୍ତି ମ୍ୟାଜେଷ୍ଟ୍ରୋ ଏ.ଆର୍. ରହମାନ।
ଫିଲ୍ମର ‘ଜୈସେ ମେରେ ପାସ୍ ତୁ’ ଗୀତରେ ନିଜର କଣ୍ଠଦାନ କରିଛନ୍ତି ଦୀପାଳି। ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ନିଜେ ରହମାନ ଏହି ଗୀତକୁ ନିଜର ପ୍ରିୟ ବୋଲି କହିବା ସହ ଦୀପାଳିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେହି ମଞ୍ଚରେ ରହମାନ ନିଜେ ଗୀତର କିଛି ଧାଡ଼ି ଗାଇ ଶୁଣାଇବା ପରେ ଦୀପାଳି ନିଜ କୋହ ସମ୍ଭାଳି ପାରିନଥିଲେ ଏବଂ ଭାବୁକ ହୋଇପଡ଼ିଥିଲେ।
ଦୀପାଳି ସହାୟ କେବଳ ଜଣେ ସୁମଧୁର ଗାୟିକା ନୁହନ୍ତି, ବରଂ ଜଣେ ଜଣାଶୁଣା ଅଭିନେତ୍ରୀ ମଧ୍ୟ। ସେ ଅନେକ ଟେଲିଭିଜନ ଧାରାବାହିକରେ କାମ କରି ସୁନାମ ଅର୍ଜନ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ‘ସା ରେ ଗା ମା ପା’ ବିଜେତା ତଥା ପ୍ରସିଦ୍ଧ ଗାୟକ ଐଶ୍ୱର୍ଯ୍ୟ ନିଗମଙ୍କୁ ବିବାହ କରିଛନ୍ତି।
ଟ୍ରଫି ନଜିତି ମଧ୍ୟ କେବଳ ନିଜର ଅଧ୍ୟବସାୟ, ପରିଶ୍ରମ ଓ ସଂଘର୍ଷ ବଳରେ କିଭଳି ସଫଳତାର ଶୀର୍ଷରେ ପହଞ୍ଚି ହୁଏ, ତାହା ପ୍ରମାଣ କରି ଦେଖାଇଛନ୍ତି ଦୀପାଳି। ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ଭିଡିଓ ସେୟାର କରି ସେ ଏ.ଆର୍. ରହମାନ ଏବଂ ଇଣ୍ଡିଆନ୍ ଆଇଡଲ୍ ମଞ୍ଚକୁ କୃତଜ୍ଞତା ଜଣାଇଛନ୍ତି। ଯଦି ଆପଣ ନିଜ ସ୍ୱପ୍ନ ଉପରେ ବିଶ୍ୱାସ ରଖିବେ, ତେବେ ସଫଳତା ବିଳମ୍ବରେ ହେଲେ ମଧ୍ୟ ନିଶ୍ଚୟ ମିଳିବ ବୋଲି କହିଛନ୍ତି ଦୀପାଳି।
Comments are closed.