ନୂଆଦିଲ୍ଲୀ: ଶେଷରେ ରାଜି ହେଲେ ଆମେରିକା ଏବଂ ଇରାନ। ଯୁଦ୍ଧ ବିରତି ପାଇଁ ସାରା ବିଶ୍ୱ ଅନାଇ ବସିଥିଲା ଶେଷରେ ଏବେ ସତ ହେବାକୁ ଯାଉଛି। ଦୀର୍ଘ ଦିନର ବିବାଦ ଓ ଯୁଦ୍ଧ ପରିସ୍ଥିତି ପରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଐତିହାସିକ ଶାନ୍ତି ଚୁକ୍ତି ସମ୍ପନ୍ନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଏହି ବଡ଼ ସଫଳତା ସମ୍ପର୍କରେ ଔପଚାରିକ ଭାବେ ଘୋଷଣା କରିଛନ୍ତି। ଏହି ଚୁକ୍ତି ସହିତ ରଣନୀତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀରୁ ଆମେରିକାର ସାମୁଦ୍ରିକ ଅବରୋଧ ହଟାଇବା ପାଇଁ ବାଟ ସାଫ୍ ହୋଇଯାଇଛି।
ରାଷ୍ଟ୍ରପତି ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ରେ ଏକ ପୋଷ୍ଟ କରି ଇରାନ ସହ ଚୁକ୍ତି ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ଦେଇଛନ୍ତି। ଏଥି ସହିତ ସେ ଏହି ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ ପକ୍ଷକୁ ଶୁଭେଚ୍ଛା ଜଣାଇଛନ୍ତି। ବିନା କୌଣସି ଟିକସରେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ରୂପେ ଖୋଲିବାକୁ ସେ ଅନୁମତି ଦେଇଛନ୍ତି। ଏହାଦ୍ୱାରା ଆନ୍ତର୍ଜାତୀୟ ବଜାରକୁ ପୁଣିଥରେ ତେଲ ଯୋଗାଣ ସ୍ୱାଭାବିକ ହୋଇପାରିବ।
ଏହି ଶାନ୍ତି ପ୍ରକ୍ରିୟାରେ ମଧ୍ୟସ୍ଥତା କରିଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ମଧ୍ୟ ଏହି ଚୁକ୍ତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଶାନ୍ତି ଚୁକ୍ତିରେ ଲେବାନନ ମଧ୍ୟ ସାମିଲ ଅଛି। ଉଭୟ ପକ୍ଷ ଲେବାନନ ସମେତ ସମସ୍ତ ସାମରିକ ଗତିବିଧି ଓ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ଜୁନ୍ ୧୯ ତାରିଖରେ ସୁଇଜରଲ୍ୟାଣ୍ଡରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଫେବୃଆରୀ ୨୮ ତାରିଖରୁ ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ସମୟରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇ ପ୍ରାଣ ହରାଇବା ପରେ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ଏପ୍ରିଲ ୮ ତାରିଖରେ ଉଭୟ ଦେଶ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ ଏବଂ ଏବେ ଦୀର୍ଘ ଆଲୋଚନା ପରେ ଶାନ୍ତି ଚୁକ୍ତି ସମ୍ଭବ ହୋଇଛି।
