ବ୍ରହ୍ମପୁର: ରାଜ୍ୟରେ ପୁଣି କରୋନା ଟେନସନ୍। MKCGରେ ଜଣେ ମହିଳା ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଓଡ଼ିଶାରେ ମଧ୍ୟ ନୂତନ ସଂକ୍ରମଣ ଦେଖିବାକୁ ମିଳିଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏକ ନୂଆ କୋଭିଡ-୧୯ (COVID-19) ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୀମାବର୍ତ୍ତୀ ଅଞ୍ଚଳରେ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି।
ସୂଚନା ଅନୁସାରେ ଜଣେ ୫୦ ବର୍ଷ ବୟସ୍କା ଜଣେ ମହିଳାଙ୍କ ଠାରେ କୋଭିଡ ଭୂତାଣୁ ଚିହ୍ନଟ ହୋଇଛି । ତାଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ସଂପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତେବେ ଏହାକୁ ନେଇ ଭୟଭୀତ ନହେବାକୁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି।
ଥଣ୍ଡା, କାଶ, ଜ୍ୱର ପରି ଭଳି ଏହା ଭୂତାଣୁ ସଂକ୍ରମଣରୁ ହୋଇଛି। ଅନ୍ୟ ଭାଇରସ୍ ଭଳି କୋଭିଡ ଭୂତାଣୁ ସଂକ୍ରମଣ କରୁଛି। ଏଣୁ ଏହାକୁ ନେଇ ବ୍ୟସ୍ତ ହେବାର କିଛି ନାହିଁ । ସେହିପରି ଏମକେସିଜି ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଦୀପା ଦାଶ ମଧ୍ୟ ସମାନ କଥା କହିଛନ୍ତି । କୋଭିଡ ଭାରିଆଣ୍ଟ ଦୁର୍ବଳ । ତେଣୁ କୋଭିଡକୁ ନେଇ ଡରିବାର କିଛି କାରଣ ନାହିଁ ବୋଲି ସେ କହିଛନ୍ତି। ଓଡ଼ିଶାରେ ନୂଆ ମାମଲା ଚିହ୍ନଟ ହେବା ସାଧାରଣ ଲୋକଙ୍କ ଚିନ୍ତାକୁ ବହୁଗୁଣିତ କରିଦେଇଛି। ବିଶେଷ କରି ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ସତର୍କତା କଡ଼ାକଡ଼ି କରାଯାଇଛି ଏବଂ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି।