Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କ ପରେ ଏବେ ନିତ୍ୟାନନ୍ଦଙ୍କ ପାଳି! ପାଠ୍ୟପୁସ୍ତକ ବିବାଦରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ନବୀନ

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ଓଡ଼ିଶାରେ ରାଜନୈତିକ ଉଷ୍ମତା ତୀବ୍ର ହୋଇଛି। ଆଗକୁ କାହାର ପାଳି? ତାକୁ ନେଇ ରାଜନୈତିକ ମହଲରେ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଚୌକି ଟଳମଳ ହେବାରେ ଲାଗିଛି। ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ତାତିଛନ୍ତି ବିରୋଧୀ। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦୃଢ଼ ଦାବି କରିଛନ୍ତି। କେବଳ ବିଜେଡି ନୁହେଁ, ବରଂ କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ସରକାରଙ୍କୁ ୭ ଦିନର କଡ଼ା ଚେତାବନୀ ଦେଇଛି।

ପାଠ୍ୟପୁସ୍ତକ ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ରାଜ୍ୟରେ ପିଲାମାନଙ୍କୁ ପ୍ରଦାନ କରାଯାଇଥିବା ନୂଆ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ରହିଛି। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଛି ଏବଂ ଶିକ୍ଷା ବ୍ୟବସ୍ଥା ପ୍ରତି ସରକାରଙ୍କ ଖାମଖିଆଲି ମନୋଭାବ ପଦାରେ ପଡ଼ିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟାନ୍ତ ଦେଇ ନବୀନ କହିଛନ୍ତି ଯେ, ଧର୍ମେନ୍ଦ୍ର ଯେଭଳି ନୈତିକ ଦାୟିତ୍ୱ ମୁଣ୍ଡାଇ ନିଜ ପଦରୁ ଇସ୍ତଫା ଦେଲେ, ଠିକ୍ ସେହିପରି ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ନୈତିକତା ଆଧାରରେ ନିଜ ଆଡ଼ୁ ମନ୍ତ୍ରୀ ପଦ ତ୍ୟାଗ କରିବା ଉଚିତ୍ ଏବଂ ଏକ ଉଦାହରଣ ସୃଷ୍ଟି କରିବା ଦରକାର। ଉଲ୍ଲେଖଯୋଗ୍ୟ ଯେ, ଗତ ୨ ରୁ ୩ ସପ୍ତାହ ହେବ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଜେଡି ଲଗାତାର ଭାବେ ରାଜରାସ୍ତାରେ ପ୍ରତିବାଦ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସୁଛି।

ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ଆକ୍ରାମକ ରୂପ ଧାରଣ କରିଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ସିଧାସଳଖ ରାଜ୍ୟ ସରକାରଙ୍କୁ ୭ ଦିନର ଅଲ୍ଟିମେଟମ୍ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜନୀତି କରାଯାଇ ପାରିବ ନାହିଁ। ଯଦି ଆଗାମୀ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର ନକରନ୍ତି କିମ୍ବା ମନ୍ତ୍ରୀ ନିଜେ ଇସ୍ତଫା ନଦିଅନ୍ତି, ତେବେ କଂଗ୍ରେସ ପକ୍ଷରୁ ସମଗ୍ର ରାଜ୍ୟରେ ଏକ ବିଶାଳ ଆନ୍ଦୋଳନ ଡାକରା ଦିଆଯିବ। ଆବଶ୍ୟକ ପଡ଼ିଲେ ‘ଓଡ଼ିଶା ବନ୍ଦ’ ମଧ୍ୟ କରାଯିବ ବୋଲି ଭକ୍ତ ଦାସ ସତର୍କ କରାଇ ଦେଇଛନ୍ତି। ଏହି ଘଟଣା ପରେ ଶିକ୍ଷା ବିଭାଗ ସହ ଜଡ଼ିତ ସମସ୍ତ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.