ଆଠଗଡ଼:ଉପରମୁଣ୍ଡରେ କ୍ରମାଗତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମ୍ରୁ ଜଳ ନିଷ୍କାସନ ହେଉଥିବାରୁ ମହାନଦୀ ଫୁଲିବାରେ ଲାଗିଛି। ଏହାର ପ୍ରଭାବରେ ମା’ ଭଟ୍ଟାରିକାଙ୍କ ମୁଖ୍ୟ ମନ୍ଦିରର ଗମ୍ଭୀରା (ଗର୍ଭଗୃହ) ଭିତରେ ବନ୍ୟାଜଳ ପ୍ରବେଶ କରିଛି। ମନ୍ଦିର ବେଢ଼ା ଓ ଗମ୍ଭୀରା ଭିତରେ ବନ୍ୟାଜଳ ପଶିବା ପରେ ନୀତିକାନ୍ତି ବାଧାପ୍ରାପ୍ତ ହେବା ଆଶଙ୍କାରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।
ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ମନ୍ଦିର ନିକଟସ୍ଥ ରତ୍ନଗିରି ପର୍ବତ ଉପରେ ଥିବା ଅସ୍ଥାୟୀ ଗମ୍ଭୀରା (ଫ୍ଲଡ୍ ଶେଲ୍ଟର)କୁ ନିରାପଦରେ ସ୍ଥାନାନ୍ତର କରାଯାଇଛି। ସେଠାରେ ନିୟମିତ ପୂଜାର୍ଚ୍ଚନା ଓ ନୀତିକାନ୍ତି ଜାରି ରହିବ।
ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ମନ୍ଦିର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ନଦୀ କୂଳକୁ ନଯିବା ପାଇଁ ଭକ୍ତଙ୍କୁ ସଚେତନ କରାଯାଉଛି।