Latest Odisha News

BREAKING NEWS

Middle East Tensions: ଇରାନ ଉପରେ ବଡ଼ ଆକ୍ରମଣ କରିବେ ଟ୍ରମ୍ପ? ମଧ୍ୟପ୍ରାଚ୍ୟ ଛାଡ଼ିବାକୁ ଆମେରିକୀୟ ନାଗରିକଙ୍କୁ ପରାମର୍ଶ, ବଢ଼ିଲା ଯୁଦ୍ଧ ଆଶଙ୍କା!

ୱାଶିଂଟନ୍: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ସୃଷ୍ଟି ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ କଡ଼ା ସାମରିକ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଥିବା ବେଳେ, ଆମେରିକୀୟ ବୈଦେଶିକ ବିଭାଗ ମଧ୍ୟପ୍ରାଚ୍ୟରେ ଥିବା ନିଜ ନାଗରିକଙ୍କ ପାଇଁ ଜରୁରୀ ସୁରକ୍ଷା ପରାମର୍ଶ (Advisory) ଜାରି କରିଛି। ଏଥିରେ ସେମାନଙ୍କୁ ପରିସ୍ଥିତି ଆହୁରି ଖରାପ ହେବା ପୂର୍ବରୁ ମଧ୍ୟପ୍ରାଚ୍ୟ ଛାଡ଼ିବାକୁ ବିଚାର କରିବା କିମ୍ବା ଯେକୌଣସି ସମୟରେ ବାହାରି ଯିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ଆମେରିକା ବିଦେଶ ବିଭାଗ କହିଛି ଯେ, ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଛି ଏବଂ ଏହା ଯେକୌଣସି ସମୟରେ ଆହୁରି ଖରାପ ହୋଇପାରେ। ଏହି କାରଣରୁ ଆମେରିକୀୟ ନାଗରିକଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ କରିବା ସହ ଯାତ୍ରାରେ ବାଧା ସୃଷ୍ଟି ହେବା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ପରାମର୍ଶରେ ସ୍ପଷ୍ଟ କରାଯାଇଛି ଯେ ଆଗାମୀ ଦିନରେ ଅନେକ ବିମାନ ସଂସ୍ଥା ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ଯାଉଥିବା କିମ୍ବା ସେଠାରୁ ଚଳାଚଳ କରୁଥିବା ବିମାନ ସେବାକୁ ବାତିଲ କରିପାରନ୍ତି। ଏହା ସହ କେତେକ ଦେଶର ଆକାଶପଥ ବନ୍ଦ ହେବାର ମଧ୍ୟ ସମ୍ଭାବନା ରହିଛି।

ଆମେରିକା ସରକାର କେବଳ ମଧ୍ୟପ୍ରାଚ୍ୟରେ ଥିବା ନାଗରିକଙ୍କୁ ନୁହେଁ, ବରଂ ବାହାରେ ଥିବା ଆମେରିକୀୟଙ୍କୁ ମଧ୍ୟ ଏହି ଅଞ୍ଚଳକୁ ଯାତ୍ରା କରିବା କିମ୍ବା ଏହି ଅଞ୍ଚଳ ଦେଇ ଯାତ୍ରା କରିବା ନେଇ ପୁନର୍ବିଚାର କରିବାକୁ କହିଛି। ଏହାଛଡ଼ା ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଆବୁଧାବିସ୍ଥିତ ଆମେରିକୀୟ ଦୂତାବାସ ଓ ଦୁବାଇସ୍ଥିତ ଆମେରିକୀୟ କନସୁଲେଟରୁ ଅଣଆବଶ୍ୟକ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଆମେରିକୀୟ ବିଦେଶ ବିଭାଗ ଚେତାବନୀ ଦେଇଛି ଯେ ଇରାନ ଓ ତା’ର ସହଯୋଗୀ ସଂଗଠନଗୁଡ଼ିକ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଆମେରିକୀୟ ଦୂତାବାସ, କୂଟନୀତିକ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାକୁ ଟାର୍ଗେଟ କରିପାରନ୍ତି। ମନ୍ତ୍ରଣାଳୟ ଆହୁରି କହିଛି ଯେ, ଇରାନ ସମ୍ପ୍ରତି ନିଜ ଆକ୍ରମଣର ପରିସରକୁ ବଢ଼ାଇଛି। ପୂର୍ବରୁ ଯେଉଁ ଦେଶଗୁଡ଼ିକ ଟାର୍ଗେଟରେ ନଥିଲେ, ସେଥିରେ ଇଜିପ୍ଟ ପରି ଦେଶ ମଧ୍ୟ ସାମିଲ ହୋଇଛନ୍ତି।

ହ୍ୱାଇଟ୍ ହାଉସରେ ଆୟୋଜିତ କ୍ୟାବିନେଟ ବୈଠକରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଇରାନ ବିରୋଧରେ ଦୀର୍ଘକାଳୀନ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ରହିଛି। ଟ୍ରମ୍ପ କହିଛନ୍ତି, “ଆମେ କେବଳ ବିଜୟ ଚାହୁଁଛୁ।” ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଇରାନ ଆମେରିକାର ଆକ୍ରମଣକୁ ସହିବାର କ୍ଷମତା ରଖିଛି, ସେପର୍ଯ୍ୟନ୍ତ ଆମେରିକା କଡ଼ା ପ୍ରହାର ଜାରି ରଖିବ।

ହ୍ୱାଇଟ୍ ହାଉସର ପ୍ରେସ ସଚିବ କ୍ୟାରୋଲିନ୍ ଲେଭିଟ୍ ଅଭିଯୋଗ କରିଛନ୍ତି ଯେ, ଗତ ମାସରେ ହୋଇଥିବା ସାମୟିକ ଯୁଦ୍ଧବିରତି ସମ୍ବନ୍ଧୀୟ ବୁଝାମଣାକୁ ଇରାନ ଉଲ୍ଲଂଘନ କରିଛି। ତାଙ୍କ କହିବା ଅନୁସାରେ, ଇରାନ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିବା ସହ ଆମେରିକୀୟ ସେନାଙ୍କୁ ମଧ୍ୟ ହତ୍ୟା କରିଛି। ଏପରି ଘଟଣାକୁ ରାଷ୍ଟ୍ରପତି ଟ୍ରମ୍ପ କେବେ ବି ସହ୍ୟ କରିବେ ନାହିଁ। ସେ କହିଛନ୍ତି ଯେ, ଇରାନ ଅର୍ଥପୂର୍ଣ୍ଣ ଆଲୋଚନାକୁ ଫେରି ନ ଆସିବା ପର୍ଯ୍ୟନ୍ତ ସାମରିକ ଚାପ ଜାରି ରହିବ।

ତେବେ କହିରଖୁଛୁ, ମିଳିଥିବା ଖବର ଅନୁସାରେ, ଇରାନ କୁଏତରେ ଡ୍ରୋନ୍ ଆକ୍ରମଣ କରିଥିବା ସହ ହର୍ମୁଜ୍ ପ୍ରଣାଳୀ (Strait of Hormuz)ରେ ବାଣିଜ୍ୟିକ ଜାହାଜକୁ ମଧ୍ୟ ଟାର୍ଗେଟ କରିଛି। ଏହା ପରେ ଆମେରିକା କଡ଼ା ପ୍ରତିକ୍ରିୟା ଦେଖାଇଛି। ଅନ୍ୟପକ୍ଷରେ, ଇସ୍ରାଏଲ ମଧ୍ୟ ଗାଜା ଓ ଲେବାନନରେ ପୁଣି ଥରେ ବୋମାମାଡ଼ କରିଛି। ଏହା ପୂର୍ବରୁ ଆମେରିକାର ମଧ୍ୟସ୍ଥତାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ନେଇ ବୁଝାମଣା ହୋଇଥିଲା। ହମାସ ଅସ୍ତ୍ର ତ୍ୟାଗ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ସଙ୍କେତ ଦେଇଥିଲା। କିନ୍ତୁ କିଛି ଘଣ୍ଟା ପରେ ଇସ୍ରାଏଲ ପୁଣି ଆକ୍ରମଣ ଆରମ୍ଭ କରିଥିବାରୁ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି।

ଇସ୍ରାଏଲ ସରକାର ହମାସର ପ୍ରସ୍ତାବ ଉପରେ ଔପଚାରିକ ପ୍ରତିକ୍ରିୟା ଦେଇନଥିବା ବେଳେ, ଦେଶର ଜାତୀୟ ସୁରକ୍ଷା ମନ୍ତ୍ରୀ ଇତମାର ବେନ୍-ଗ୍ଭିର ଏହି ଯୁଦ୍ଧବିରତି ପ୍ରସ୍ତାବକୁ ସିଧାସଳଖ ଖାରଜ କରିଛନ୍ତି। ସେ କହିଛନ୍ତି ଯେ, ଏହି ବୁଝାମଣା ଗ୍ରହଣଯୋଗ୍ୟ ନୁହେଁ ଏବଂ ଇସ୍ରାଏଲକୁ ଯୁଦ୍ଧରେ ବିଜୟୀ ହେବାକୁ ପଡ଼ିବ।

ଏଭଳି ପରିସ୍ଥିତିରେ ମଧ୍ୟପ୍ରାଚ୍ୟର ସୁରକ୍ଷା ସ୍ଥିତି ଦିନକୁ ଦିନ ଅଧିକ ସଙ୍କଟପୂର୍ଣ୍ଣ ହେଉଥିବା ବେଳେ, ବିଶ୍ୱ ସମୁଦାୟର ନଜର ଏବେ ଆମେରିକା-ଇରାନ ସମ୍ପର୍କ ଏବଂ ଇସ୍ରାଏଲ-ଗାଜା ସଂଘର୍ଷ ଉପରେ ରହିଛି।

Leave A Reply

Your email address will not be published.