Soumya Ranjan Death Case: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ସରେଣ୍ଡର ପରେ ସସପେଣ୍ଡ ହେଲେ IFS ଅଧିକାରୀ ସଂଗ୍ରାମ କେଶରୀ ବେହେରା
ଭୁବନେଶ୍ୱର: ୨୦୨୧ ମସିହାର ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ (ସହକାରୀ ବନ ସଂରକ୍ଷକ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଓଡ଼ିଶା ବନ ଉନ୍ନୟନ ନିଗମ (OFDC)ର ବାଣିଜ୍ୟ (କମର୍ସିଆଲ୍) ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଆଇଏଫଏସ୍ (IFS) ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ସୂଚନା ଅନୁସାରେ, ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସଂଗ୍ରାମ କେଶରୀ ବେହେରାଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିବାରୁ ନିୟମ ଅନୁଯାୟୀ ତାଙ୍କୁ ସସ୍ପେଣ୍ଡ କରାଯାଇଛି।
ସଂଗ୍ରାମ କେଶରୀ ବେହେରା ୨୦୨୧ ମସିହାରେ ଗଜପତି ଜିଲ୍ଲାର ଡିଭିଜନାଲ୍ ଫରେଷ୍ଟ ଅଫିସର (DFO) ଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ପାରଳାଖେମୁଣ୍ଡି ବନ ବିଭାଗରେ କାର୍ଯ୍ୟରତ ତତ୍କାଳୀନ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସଂଗ୍ରାମ ବେହେରାଙ୍କ ନାମରେ ଅଭିଯୋଗ ଆସିଥିଲା ଏବଂ ସେ ଏହି ମାମଲାର ଅଭିଯୁକ୍ତ ଭାବେ ସାମିଲ ହୋଇଥିଲେ।
ଏହି ବହୁଚର୍ଚ୍ଚିତ ମାମଲାରେ ଗତ ଜୁଲାଇ ୨୭ ତାରିଖରେ ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ମାଧ୍ୟମରେ ଆତ୍ମସମର୍ପଣ କରିଥିଲେ। ପ୍ରାୟ ୫ ବର୍ଷ ପରେ ତାଙ୍କର ଏହି ଆତ୍ମସମର୍ପଣ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଆତ୍ମସମର୍ପଣ ପରେ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ବର୍ତ୍ତମାନ ସେ ନ୍ୟାୟିକ ହାଜତରେ ଅଛନ୍ତି।
୨୦୨୧ ମସିହା ଜୁଲାଇ ମାସରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଗୁରୁତର ଅଗ୍ନିଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହୋଇଥିଲା।
ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ତଦନ୍ତ ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିଛି। ମାମଲାରେ ବିଭିନ୍ନ ପର୍ଯ୍ୟାୟରେ ସାକ୍ଷ୍ୟ, ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ତଦନ୍ତ ଜାରି ରହିଛି।
ସଂଗ୍ରାମ କେଶରୀ ବେହେରା ବର୍ତ୍ତମାନ ଓଡ଼ିଶା ଫରେଷ୍ଟ ଡେଭେଲପମେଣ୍ଟ କର୍ପୋରେସନ୍ (OFDC)ର ନିର୍ଦ୍ଦେଶକ (କମର୍ସିଆଲ୍) ପଦବୀରେ କାର୍ଯ୍ୟରତ ଥିଲେ। କିନ୍ତୁ ନ୍ୟାୟିକ ହେପାଜତରେ ଥିବା ଏବଂ ମାମଲାରେ ଅଭିଯୁକ୍ତ ଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କୁ ନିଲମ୍ବିତ କରାଯାଇଛି।
ସରକାରୀ ସୂଚନା ଅନୁଯାୟୀ, ନ୍ୟାୟିକ ହେପାଜତ ଆଦେଶକୁ ଆଧାର କରି ଏହି ନିଲମ୍ବନ କରାଯାଇଛି। ସେବା ନିୟମାବଳୀ ଅନୁଯାୟୀ ଏହା ପରେ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଓ ଆଇନଗତ କାର୍ଯ୍ୟକଳାପ ଜାରି ରହିବ। ସେପଟେ, ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ବିଚାର ପ୍ରକ୍ରିୟା ଓ ତଦନ୍ତ ମଧ୍ୟ ଆଗକୁ ବଢ଼ିବ।