ଭୁବନେଶ୍ବର: ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମାଗତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିବା ସହ ଚାଷ ଜମି ଓ ଫସଲକୁ ପ୍ରଭାବିତ କରିଛି। ବନ୍ୟା ଯୋଗୁଁ ଗାଁଠୁ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ବନ୍ୟାରେ ୨୨ ଜିଲ୍ଲାର ୮୫ ବ୍ଲକ, ୧୫ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସାଢ଼େ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ରିଲିଫ କାର୍ଯ୍ୟ ଜାରି ରହିବ। ଏସଟିଆରଏଫ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ।
ପ୍ରାଥମିକ ଭାବରେ ୪୨ କୋଟି ୮୦ଲକ୍ଷ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି । କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଜିଲ୍ଲାପାଳ ମାନଙ୍କୁ ୩୬କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ ୧୧୦କୋଟି ଟଙ୍କା ରାଜ୍ୟ ସରକାର ପଠାଇବେ । କ୍ଷୟକ୍ଷତି ଆକଳନ ସହ କ୍ଷତିପୂରଣ କାମ ଏକା ସହ ଚାଲିବ । SDRF ପ୍ୟାକେଜ ଅନୁସାରେ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା । ପକ୍କା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୬ ହଜାର ୫୦୦ ଟଙ୍କା । କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୪ ହଜାର ଟଙ୍କା । କୁଡ଼ିଆ ଭାଙ୍ଗିଥିଲେ ୮ ହଜାର, ଗୁହାଳ ପାଇଁ ୩ ହଜାର ଟଙ୍କା କ୍ଷତିପୂରଣ ମିଳିବ। ଖାଲୁଆ ଜମିରେ ଚାଷ କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା, ଜଳସେଚିତ ଜମିରେ ହେକ୍ଟର ପିଛା ୧୭ ହଜାର ଟଙ୍କା କ୍ଷତିପୂରଣ ମିଳିବ।
ସେହିପରି ବନ୍ୟାରେ ଜୀବନହାନୀ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ସେହିଭଳି ଗାଈ ପାଇଁ ୩୭ ହଜାର ୫୦୦ ଟଙ୍କା ବଳଦ କିମ୍ବା ମଇଁଷି ପାଇଁ ୩୨ ହଜାର, ବାଛୁରୀ ପାଇଁ ୨୦ ହଜାର ଛେଳି କିମ୍ବା ମେଣ୍ଢା ପାଇଁ ୪ ହଜାର ଟଙ୍କା କ୍ଷତିପୂରଣ ମିଳିବ। ସମୁଦାୟ ୨୨ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ୮୫ ବ୍ଲକ ସହ ୧୫ ସହରାଞ୍ଚଳ ପ୍ରଭାବିତ । ୬୫୬ ପଞ୍ଚାୟତ ଏବଂ ୧୪୫୮ ଗାଁ କ୍ଷତିଗ୍ରସ୍ତ ହୋଇଛି । ୮ ଲକ୍ଷ ୬୩ ହଜାର ୯୦୯ ଲୋକ ପ୍ରଭାବିତ । ୨ ଲକ୍ଷ ୬୭୩୦୧ ସ୍ଥାନାନ୍ତରିତ ହୋଇଥିଲେ। ୫୨୯ ରିଲିଫ କ୍ୟାମ୍ପ ପରିଚାଳିତ ହୋଇଥିଲା ।