Latest Odisha News

ସାହିତ୍ୟ ହିଁ ଅଭିନୟର ମୂଳଦୁଆ: ଅଭିନେତା ଅଭିଷେକ ଗିରି

ଗଳ୍ପ ସଂକଳନ 'ମଣିଗନ୍ଧା' ଲୋକାର୍ପିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଉଟକାଷ୍ଟ ଷ୍ଟୁଡିଓରେ ଅଳ୍ପ କଥା ଅଳ୍ପ କବିତା ପରିବାର ତରଫରୁ ଆୟୋଜିତ ଆଳାପ କାର୍ଯ୍ୟକ୍ରମରେ ଉମାକାନ୍ତ ପାତ୍ରଙ୍କ ଗଳ୍ପ ସଂକଳନ “ମଣିଗନ୍ଧା” ପୁସ୍ତକଟି ଲୋକାର୍ପିତ ହୋଇଯାଇଛି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସିନେମା ଜଗତର ଉଦୀୟମାନ ଯୁବ ତାରକା ଅଭିଷେକ ଗିରି କହିଲେ ଯେ- ସିନେମା ପୂର୍ବରୁ ପ୍ରଥମେ ନାଟକ ଆସିଥିଲା ଏବଂ ନାଟକ ପୂର୍ବରୁ ଲିଖିତ ଭାବେ କାହାଣୀ ପ୍ରକାଶ ପାଇଥିଲା, ତେଣୁ ଜଣେ କଳାକାର ସାହିତ୍ୟ ପ୍ରତି ରୁଚି ରଖିବା ଅପରିହାର୍ଯ୍ୟ- କାରଣ ସାହିତ୍ୟ ହିଁ ଅଭିନୟର ମୂଳଦୁଆ।

ସାହିତ୍ୟ ହିଁ ସମାଜକୁ ଆଲୋକ ଦେଖାଇଥାଏ। ବିଶେଷ କରି ଆଜିର ଜେନ-ଜି ମାନେ ସାହିତ୍ୟ ମନସ୍କ ହେବା ଏବଂ ସାମାଜିକ ଗଣମାଧ୍ୟମରେ ନିଜର ସାହିତ୍ୟକୃତିକୁ ଲୋକଲୋଚନକୁ ଆଣିବା ସମାଜ ପାଇଁ ନିଶ୍ଚୟ ଶୁଭଙ୍କର ବୋଲି ଗର୍ବିତ ଓଡ଼ିଆ ସାପ୍ତାହିକ ଖବର କାଗଜର ସମ୍ପାଦକ ବଳରାମ ରଣସିଂହ ମତ ବ୍ୟକ୍ତ କରିଥିଲେ। “ମଣିଗନ୍ଧା”ଟିକୁ ସମୀକ୍ଷା କରିଥିବା ବରିଷ୍ଠ ସାମ୍ବାଦିକ ରାମଚଣ୍ଡୀ ପ୍ରସାଦ ପୁସ୍ତକ ଉନ୍ମୋଚନରେ କହିଥିଲେ ଯେ- ସାମ୍ବାଦିକତା ଓ ସାହିତ୍ୟ ପରସ୍ପରର ପରିପନ୍ଥୀ। ଜଣେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରିଥାଉନା କାହିଁକି କେଉଁ ବହି ପଢିଲେ ନିଜ କ୍ୟାରିୟରରେ ଆଗକୁ ବଢିବାକୁ ସହଜ ହେବ ତାହା ଭାବିଚିନ୍ତି ଚୟନ କରିବାକୁ ପଡିବ।

ଗାଳ୍ପିକ ଉମାକାନ୍ତ ପାତ୍ର ନିଜ ବହି “ମଣିଗନ୍ଧା” ବିଷୟରେ ସମ୍ୟକ ଧାରଣା ଦେଇ କହିଥିଲେ ଯେ- ବିଭିନ୍ନ ସମୟରେ ସମାଜରୁ ମିଳୁଥିବା ଚରିତ୍ରମାନଙ୍କୁ ନିଜ କଲମ ମାଧ୍ୟମରେ କାଗଜରେ ନଉତ୍ତାରିଲା ପର୍ଯ୍ୟନ୍ତ ସେ ଶୋଇପାରନ୍ତି ନାହିଁ, ତେଣୁ ଏହି ପୁସ୍ତକଟି ପଢିଲାବେଳେ ପାଠକ ଓ ପାଠିକାମାନେ ନିଶ୍ଚୟ ଭାବେ ନିଜକୁ ଭେଟିବେ ଓ ଲେଖକ କେମିତି ମୋ କଥା ଜାଣିଲା ବୋଲି ପ୍ରଶ୍ନ କରିବେ। ଉମାକାନ୍ତଙ୍କ ସାହିତ୍ୟ ସାଧନା ଓ ଏହି ପୁସ୍ତକଟିର ଆତ୍ମପ୍ରକାଶ ପଛରେ ତାଙ୍କ ପରିବାର ବିଶେଷକରି ପତ୍ନୀ ଏଲିସାଙ୍କ ସହଯୋଗ ଉଲ୍ଲେଖଯୋଗ୍ୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର, ଭଦ୍ରକ, ଯାଜପୁର, ସୋନପୁର, ସୁନ୍ଦରଗଡ, ପୁରୀ, ଖୋର୍ଦ୍ଧା, କଟକ, କୋରାପୁଟ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼, ଜଗତସିଂହପୁର, ଆଦି ଜିଲ୍ଲାର ପ୍ରାୟ ୪୫ରୁ ଉର୍ଦ୍ଧ୍ୱ ଯୁବ କବି ଓ କବୟିତ୍ରୀମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ ବିଭିନ୍ନ ବହି ପଢି ସାମାଜିକ ଗଣମାଧ୍ୟମରେ ନିରପେକ୍ଷ ମତାମତ ରଖୁଥିବା ପାଞ୍ଚ ଜଣ ଯୁବ ସାହିତ୍ୟିକଙ୍କୁ ଅଳ୍ପ କଥା ଅଳ୍ପ କବିତା ପରିବାରର ‘ବହି ବନ୍ଧୁ’ କାର୍ଯ୍ୟକ୍ରମ ଜରିଆରେ ପୁସ୍ତକ ଉପହାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶୁଭ ସନ୍ଧ୍ୟା ପ୍ରଧାନ ଓ ଉଷାଶ୍ରୀ ଜେନା ମଞ୍ଚ ପରିଚାଳନା କରିଥିଲେ। ସାମାଜିକ ଗଣମାଧ୍ୟମରେ ନିଜ କବିତା ଦ୍ୱାରା ଲୋକମାନଙ୍କ ପ୍ରଂଶସା ସାଉଁଟିଥିବା ଯୁବ କବି ସ୍ମୃତିରଞ୍ଜନ, କୃଷ୍ଣ ମହାରଣା ଓ ସବ୍ୟସାଚୀଙ୍କ ସମେତ କବୟିତ୍ରୀ ରଶ୍ମିତା ବେହେରା, ପ୍ରୀତିଶ୍ରୀ ବଳିୟାରସିଂ, ସସ୍ମିତା ବେହେରା, ମଧୁସ୍ମିତା, ସୁକନ୍ୟା, ସୁଶ୍ରୀ ପ୍ରିୟଦର୍ଶିନୀ ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.